ନୂଆପଡା (ଏଟିଆର ବ୍ୟୁରୋ); ଆଇ ସହ ପୋଖରୀରେ ଗାଧୋଇବା ପାଇଁ ଆସିଥିଲେ ତିନି ଭଉଣୀ । ଗୋଡ ଖସିଯିବାରୁ ତିନିଜଣ ଯାକ ବୁଡି ଗଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇ ଭଉଣୀଙ୍କ ଅବସ୍ଥା ଗୁରୁତର ଅଛି । ନୂଆପଡା ଜିଲ୍ଲା ବୋଡେନ ବ୍ଳକ ଅନ୍ତର୍ଗତ ଧରନିମାଲଗଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ନାବାଳିକା ହେଲେ ଖୁସବୁପ୍ରିୟା ସାହୁ(୧୧) । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଅନ୍ୟ ଦୁଇ ନାବାଳିକାଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଖୁସ୍ଲି ସାହୁ (୮) ଓ ଉପାସନା ସାହୁ (୭)।
ତିନି ଭଉଣୀ ଆଇ ସହ ଗାଧୋଇବା ପାଇଁ ଯାଇଥିଲେ । ଖୁସବୁଙ୍କ ଗୋଡ ଖସିଯାଇଥିଲା । ତେବେ ତାଙ୍କୁ ବଞ୍ଚାଇବାକୁ ଯାଇ ବାକି ଦୁଇ ଭଉଣୀ ମଧ୍ୟ ବୁଡି ଯାଇଥିଲେ । ଆଇ ତିନିଜଣଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନାଯୋଗ୍ୟ,ଗତମାସ ୩୦ ତାରିଖରେ ଖଡିଆଳ ଥାନା ନୂଅପଡା ଗାଁରେ ପୋଖରୀରେ ବୁଡି ମଧ୍ୟ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା । ସେମାନେ ରାଇପୁରରୁ ନିଜ ମାମୁଁ ଘରକୁ ଆସିଥିବା ବେଳେ ଆଇ ସହ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ଘଟିବାର ତିନି ଚାରି ଦିନ ମଧ୍ୟରେ ପୁଣି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସ୍ଥାନୀୟ ଅଞ୍ଚଳରେ ।