ବୌଦ୍ଧ (ଏଟିଆର ବ୍ୟୁରୋ); ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଗଞ୍ଜେଇ ଚେରା ଚାଲାଣ । ପ୍ରତ୍ୟେକ ଦିନ ଧରା ହେଉଛନ୍ତି ଗଞ୍ଜେଇ ମାଫିଆ । ତେବେ ଆଜି ଧରିବା ଆଗରୁ ନିଜେ ନିଜେ ଧରାପଡୁଥିଲେ ଦୁଇ ଜଣ ମାଫିଆ । ଗଞ୍ଜେଇ ନେଇ ଯାଉଥିବା କାର ଦୁର୍ଘଟଣାର ଶିକାର ହୋଇଥିଲା । କିନ୍ତୁ ଲୋକମାନେ ପହଁଞ୍ଚିବା ପରେ ସେମାନଙ୍କୁ ବନ୍ଧୁକ ଦେଖାଇ ଫେରାର ହୋଇଯାଇଛନ୍ତି । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ କୋର୍ଟଛକ ନିକଟରେ । ତେବେ କାର ଚଳାଉଥିବା ଡ୍ରାଇଭର ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗଞ୍ଜେଇ ଜବତ କରିଛି ।
ପୋଲିସ ସୂଚନା ମୁତାବକ ଗୁରୁବାର ସକାଳ ସଢ଼େ ୯ଟା ବେଳେ ଦ୍ରୃତ ଗତିରେ ଯାଉଥିବା ଏକ କାର କଣ୍ଟାମାଳ କୋର୍ଟ ଛକ ନିକଟରେ ଦୁର୍ଘଟଣାଗସ୍ତ ହୋଇଥିଲା । ତେବେ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ବଞ୍ଚାଇବା ପାଇଁ ଗାଡି ପାଖରେ ପହଁଞ୍ଚିଥିଲେ । କିନ୍ତୁ ଗାଡି ଭିତରେ ଥିବା ଦୁଇଜଣ ଯୁବକ ଲୋକଙ୍କୁ ବନ୍ଧୁକ ଦେଖାଇ ସେଠାରୁ ଦୌଡି ପଳାଇଥିଲେ । ପ୍ରଥମେ ଲୋକମାନେ ବୁଝି ପାରିନଥିଲେ । କିନ୍ତୁ ପରେ ଗାଡି ଭିତରୁ ଗଞ୍ଜେଇ ବସ୍ତା ଗଳି ପଡିଥିଲା । ଏହାପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥରେ ପହଁଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କିରିଛି । ଏବଂ ଗଞ୍ଜେଇକୁ ଜବତ କରିଛି ।
ଦିନ ଦ୍ୱିପ୍ରହରେ ଏଭଳି ଚୋରା ଗଞ୍ଜେଇ ଚୋରା ଚାଲାଣ ହେଉଥିବାରୁ ପୋଲିସର ସୁରକ୍ଷାକୁ ନେଇ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି । ବାରମ୍ବାର ଏଭଳି ଚୋରା ଚାଲାଣ ହେଉଥିଲେ ସୁଦ୍ଧା ପୋଲିସ ଜାଣି ପାରୁନଥିବା ସାଧାରଣ ଲୋକ ଅଭିଯୋଗ କରୁଛନ୍ତି ।