ବାଲେଶ୍ୱର ( ଏଟିଆର ବ୍ୟୁରୋ): ପୋଲିଓ ଟିକା ନେବା ପରେ ସୋରରେ ଜଣେ ଦେଢ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାଅନୁସାରେ ସୋର ଅଞ୍ଚଳର ରତ୍ନାକର ଷଣ୍ଡଙ୍କ ପତ୍ନୀ ଜ୍ୟୋସ୍ନା ରାଣୀ ତାଙ୍କ ଦେଢବର୍ଷର ପିଲାକୁ ନେଇ ଗାଁ ପାଖ ସ୍କୁଲରେ ହେଉଥିବା ଟିକା କେନ୍ଦ୍ରରେ ଟିକା ଦେବାକୁ ନେଇଥିଲେ । ସେଠାରେ ପିଲାକୁ ଅଙ୍ଗନବାଡି କର୍ମୀଙ୍କ ସମେତ ଏଏନଏମ ଦିଦି ଟିକା ଦେଇଥିଲେ ।
ହଠାତ ରାତି ବାରଟାରେ ଟିକା ନେଇଥିବା ଶିଶୁ ପୁତ୍ର ପ୍ରଭାତ ବାଡେଇ ଛାଟି ହୋଇଥିଲା । ଧିରେ ଧିରେ ତାର ଅବସ୍ଥା ଗୁରୁତର ହେବାକୁ ଲାଗିଲା । ଫଳରେ ପରିବାର ଲୋକେ ତାଙ୍କୁ ଖଇରା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ପ୍ରଭାତକୁ ମୃତ ଘୋଷଣା କରିଥିଲେ । ଏଏନ୍ଏମ୍ ଦୀପ୍ତିରାଣୀ ଦାସ, ଆଶାକର୍ମୀ ଜ୍ୟୋସ୍ନାମଣୀ ସ୍ବାଇଁ ଓ ଅଙ୍ଗନଓ୍ବାଡୀ କର୍ମୀ ଅନୁପମା ରାଉତ ପୋଲିଓ ଟୀକା ଦେଇଥିଲେ ।
ଦିଆ ଯାଇଥିବା ପୋଲିଓ ଟିକା ଇନଫେକ୍ସନ ହେବାରୁ ଏମିତି ହୋଇଥିବା ଅନୁମାନ କାଯାଉଥିଲେ ସୁଦ୍ଧା ବାସ୍ତବରେ କଣ ହୋଇଛି ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ । ଘଟଣାକୁ ନେଇ ରତ୍ନାକର ଷଣ୍ଢଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଥାନାରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶିଶୁ ପୁତ୍ରର ମୃତ୍ୟୁ ପରେ ଚାପା ଉତ୍ତେଜନା ଦେଖା ଦେଇଛି । ଜ୍ୟୋସ୍ନାଙ୍କ ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି ।