ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ । ଦୁଇଦିନ ଧରି ନିଖୋଜ ଥିବା ଯୁବକଙ୍କ ମୃତଦେହ ଚୁଆରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ । ତେବେ ଏଭଳି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ପଞ୍ଚାୟତର ଆମ୍ବଗାଡିଆ ଗାଁରେ । ମୃତ ଯୁବକ ହେଲେ ସନ୍ତୋଷ କୁମାର ପ୍ରଧାନ (୩୮) । ତାଙ୍କ ଘର ପୁଆଣିଆ ଗାଁରେ ବୋଲି ଜଣାପଡିଛି । ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି । ପୋଲିସ ତଦନ୍ତ ଜାରି କରିଛି ।
ସୂଚନା ଅନୁଯାୟୀ, ସନ୍ତୋଷ ଦୁଇଦିନ ହେବ ଘରେ ନଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ । ତେବେ ଆଜି ସକାଳେ ସ୍ଥାନୀୟ ଲୋକ ସନ୍ତୋଷଙ୍କ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ତାଙ୍କୁ କେହି ହତ୍ୟା କରିଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ । ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଗାଁ ଲୋକେ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଘଟଣାସ୍ଥଳର ଯାଞ୍ଚ କରିବାକୁ ଦାବି କରିଛନ୍ତି।