ବାଲେଶ୍ୱର (ଏଟିଆର ବ୍ୟୁରୋ): ଲୋକମାନେ କୌଣସି ଜାଗାକୁ ଯାତ୍ରା କରିବାକୁ ହେଲେ ରେଳ ଯାତ୍ରାକୁ ସବୁଠାରୁ ସୁରକ୍ଷିତ ମନେ କରିଥାନ୍ତି । ହେଲେ ବେଳେ ବେଳେ ଏପରି କିଛି ଦୁର୍ଘଟଣା ହୋଇଯାଏ ଯାହାକୁ ଦେଖି ଲୋକେ ଟ୍ରେନରେ ଯିବାକୁ ମଧ୍ୟ ଡରିଥାନ୍ତି । ଆଜି ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ରୁପସା ଷ୍ଟେସନରେ । ବାଲେଶ୍ୱରର ରୁପସା ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ହାୱଡାରୁ ୟଶବନ୍ତପୁର ଅଭିମୁଖେ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।
ଟ୍ରେନର ଇଂଜିନ ସହ ଦୁଇ ବଗି ଲାଇନ ଚ୍ୟୁତ ହୋଇଛନ୍ତି । ଯାହାଫଳରେ ଟ୍ରେନଟି ରେଳ ଧାରଣାରୁ ଅଲଗା ହୋଇ ଢଳି ପଡିଥିଲା । ଭାଗ୍ୟବସତଃ ଏହି ଦୁର୍ଘଟଣାରେ ଅଳ୍ପକେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସହ କେହି ମୃତାହତ ହୋଇନାହାନ୍ତି । ଦୁର୍ଘଟଣା ଫଳରେ ଟ୍ରେନଟି ପାଖାପାଖି ଦେଢ ଘଣ୍ଟା ଅଟକି ରହିଥିଲା । ଏହି ବାବଦରେ ଖବର ପାଇବା ପରେ ବୈଷୟିକ ଟିମ ସହ ରେଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରେଳ ମରାମତି କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ମରାମତି ପରେ ଟ୍ରେନଟି ନିଜର ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ମିଳିଛି ।