ଯାଜପୁର (ଏଟିଆର ବ୍ୟୁରୋ); ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବ ଚାଷୀଙ୍କ ଜୀବନ ଚାଲିଯାଇଛି । ବିଲରେ ପାଣି ଦେଉଥିବା ବେଳେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ ବୋଲି ଜଣା ପଡିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଫଳପୁର ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ଚାଷୀ ହେଲେ ସୂର୍ଯ୍ୟକାନ୍ତ ଗୁରୁ । ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବା ଲାଗି ସ୍ଥାନୀୟ ଲୋକ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ପରିବା ବିଲରେ ପାଣି ଦେଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ସୂର୍ଯ୍ୟକାନ୍ତ । ତାଙ୍କୁ ପ୍ରଥମେ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏବଂ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଗତକାଲି ତାଙ୍କୁ ସେଠାରେ ଚିକିତ୍ସିତ କରାଯାଇଥିଲା । କିନ୍ତୁ ଅବସ୍ଥା ଖରାପ ହୋଇଥିବାରୁ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ପୋଲିସ ତାଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।