ଭୁବନେଶ୍ୱର,(ଏଟିଆରବ୍ୟୁରୋ): ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀ କରୋଲବାଗରେ ଥିବା ଅର୍ପିତ ହୋଟେଲରେ ଏହି ଅଘଟଣ ଘଟିଛି । ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅନେକ ପର୍ଯ୍ୟଟକ ଥିବା ଜଣାପଡିଛି । ସେପଟେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗର ୨୪ଟି ଦମକଳ ଗାଡି ନିୟୋଜିତ କରାଯାଇଛି । ଯଦିଓ ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜଣାପଡିନାହିଁ ତଥାପି ସଟସର୍କିଟ ଯୋଗୁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ଏବେ ବି ହୋଟେଲରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରିପୋର୍ଟ ଅନୁସାରେ, ଭୋର ପ୍ରାୟ ସାଢ଼େ ୪ଟାରେ ଅଚାନକ ହୋଟେଲରୁ ଧୂଆଁ ବାହାରିଥିଲା । ଯାହାକୁ ଦେଖି ଉପସ୍ଥିତ ଥିବା ଲୋକେ ଭୟଭିତ ହୋଇପଡିଥିଲେ । ଜୀବନ ବଞ୍ଚାଇବା ଆଶାରେ ସମସ୍ତେ ଧାଇଁଥିଲେ । କେହି କେହି ତ’ ୪ମହଲା ଉପରୁ ଡେଇଁ ପଡିଥିବା କୁହାଯାଉଛି । ତେବେ ଧୂଆଁରେ ଅଣ ନିଶ୍ୱାସି ହୋଇ ଅନେକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୩ଜଣ କେରଳର ଓ ମିଆଁମାରର ୨ଜଣ ଥିବା ଏଯାବତ ଖବର ମିଳିଛି । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ଓ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ସେପଟେ ଘଟଣା ପଦାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କାର ସହାୟତା ରାଶୀ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ ନିଆଁ ଲାଗିବାର କାରଣ ଖୋଜି ପାଇବାକୁ ମାଜିଷ୍ଟେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।