ବୌଦ୍ଧ(ଏଟିଆର ବ୍ୟୁରୋ): ଜଣେ ଚାଷୀ ଚାଷ କରି ନିଜର ଭରଣ ପୋଷଣ କରିଥାଏ । ହେଲେ ଯଦି ସେ ଚାଷ କରିଥିବା ସବୁ ଚାଷରେ ନିଆଁ ଲାଗିଯାଏ ତେବେ ସେ କଣ ବା କରିବ । ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ପଞ୍ଚୟତର ସିନ୍ଦୂରପୁର ଗାଁରେ ଏକ ଧାନ ଖଳାରେ । ସୂଚନା ଅନୁସାରେ ଉକ୍ତ ଗାଁର ଚାଷୀ ମନୋଜ ଭୋଇ ନିଜ ୭ ଏକର ଜମିରେ ଚାଷ କରିଥିବା ଧାନକୁ ଅମଳ ପରେ ବିଡା କରି ଗାଁ ମୁଣ୍ଡରେ ଥିବା ଧାନ ଖଳାରେ ରଖିଥିଲେ । ତେବେ ଗତକାଲି ବିଲମ୍ବିତ ରାତିରେ ଧାନ ଖଳାରେ ଅଚାନକ ନିଆଁ ଲାଗିଯାଇଥିଲା । ଗ୍ରମବାସୀ ମାନେ ଧାନ ଖଳାରେ ନିଆଁ ଲାଗି ଯାଇଥିବାର ଖବର ଅଗ୍ନିଶମ ବିଭାଗକୁ ଦେଇଥିଲେ ।
ଖବର ପାଇ କଣ୍ଟାମାଳ ଓ ସୋନପୁର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ଖଳାରେ ରଖାଯାଇଥିବା ୬ ଗଦା ଧାନ ପୋଡି ପାଉଁଶ ହୋଇଯାଇଥିଲା । ଚାଷୀ ମନୋଜଙ୍କ କହିବା ଅନୁସାରେ କେହି ଦୁର୍ବୃତ୍ତ ଆସି ତାଙ୍କ ଧାନ ଖଳାରେ ନିଆଁ ଲାଗାଇ ଦେଇଛି । ଏହା ସହ ସେ କହିଛନ୍ତି ଯେ, ପାଖାପାଖି ୭ ଲକ୍ଷ ଟଙ୍କାର ଧାନ ପୋଡି ନଷ୍ଟ ହୋଇଯାଇଛି । ତେବେ ଦୁର୍ବୃତ୍ତଙ୍କୁ ଧରିବା ସହ ତାଙ୍କୁ କ୍ଷତି ପୂଣର ଦିଆଯାଉ ବୋଲି ସେ ଦାବୀ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପପହଞ୍ଚି ତଦନ୍ତ ଆରମ୍ଭ କରିଛି ।