ଜଗତସିଂହପୁର(ଏଟିଆର ବ୍ୟୁରୋ): ଟିକେ ଏପଟ ସେପଟ ହୋଇଥିଲେ କଥା ସରିଥାନ୍ତା । ଗୁଳି ସିଧା ଯାଇ ଦେହରେ ବାଜି ଥାନ୍ତା । ମାତ୍ର ସେମିତି କିଛି ହେବା ପୂର୍ବରୁ ବଞ୍ଚିଗଲା ଜୀବନ । ଆଜ୍ଞା ହଁ ସାମାନ୍ୟ ବଚସାକୁ ନେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା କଣିଆରେ ଗୁଳିକାଣ୍ଡ ଘଟିଛି । ଭାଗ୍ୟ ବସତଃ ଏଥିରେ କୌଣସି ପ୍ରକାର କ୍ଷତି ହୋଇ ନାହିଁ ।
ଏଭଳି କାଣ୍ଡ କଣିଆ ଗାଁରେ ଘଟିଛି । ଅନ୍ୟ ଗାଁର ସାଗର ମଲ୍ଲିକ ଏବଂ ରାକେଶ ଦାସ ନାମକ ଦୁଇ ଜଣ ବ୍ୟକ୍ତି ତାଙ୍କର ଅନ୍ୟ ଦୁଇ ଜଣ ସାଙ୍ଗକୁ ନେଇ କଣିଆ ଗାଁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ କୂଳମଣି ନାମକ ଜଣେ ବ୍ୟକ୍ତିଙ୍କ ସହିତ ସେମାନଙ୍କର ସାମାନ୍ୟ ପାଟି ତୁଣ୍ଡ ହୋଇଥିଲା । ଏଥିରେ ସାଗର ରାଗରେ ଉତକ୍ଷିପ୍ତ ହୋଇ କୂଳମଣିଙ୍କ ଉପରକୁ ଗୁଳି ଚଳାଇଥଇଲେ । ମାତ୍ର କୂଳମଣି ତାଙ୍କର ଉପସ୍ଥିତ ବୁଦ୍ଧି ଖଟାଇ ନଇଁ ପଡିବାରୁ ଗୁଳିଟି ତାଙ୍କ ମୁଣ୍ଡ ଉପରେ ପଳାଇଥିଲା । ଯାହାଫଳରେ ବଞ୍ଚି ଯାଇଥିଲା କୂଳମଣିଙ୍କ ଜୀବନ ।
ଗୁଳିକାଣ୍ଡ ପରେ ଗାଁ ଲୋକେ ରାଗି ଯାଇ ସାଗର ଏବଂ ତାଙ୍କ ସାଥୀରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ ନିର୍ଧୁମ ଛେଚିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚିଲା ବେଳକୁ ମୁଖ୍ୟ ଅଭିଯୁକ୍ତ ସାଗର ଏବଂ ତାର ଅନ୍ୟ ଦୁଇ ସାଥୀ ଫେରାର ହୋଇଯାଇଥିଲେ । ମାତ୍ର ପୋଲିସ କବଳରୁ ରାକେଶ ଯାଇ ପାରିନଥିଲା ।