ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନନ୍ଦନକାନରେ ଥିବା ଏକମାତ୍ର ଓରାଙ୍ଗ ଓଟାନ(ବିନି) ପ୍ରାଣ ହରାଇଛି । ବୁଧବାର ରାତି ୯ଟା ୩୦ରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାକୁ ୪୧ ବର୍ଷ ହୋଇଥିଲା। ଶ୍ୱାସନଳୀ ସଂକ୍ରମଣ ଓ ବୟସାଧିକ୍ୟ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କେମିତି ହେଲା ମୃତ୍ୟୁ ସେନେଇ ନନ୍ଦନକାନନ କତୃପକ୍ଷଙ୍କ ପକ୍ଷରୁ ଆସନ୍ତାକାଲି ପୋଷ୍ଟମର୍ଟମ ହେବ ବୋଲି ସୂଚନା ମିଳିଛି । ୨୦୦୩ରେ ପୁଣେ ଚିଡିଆଖାନାରୁ ଏହି ଓରାଙ୍ଗଉଟାନକୁ ନନ୍ଦନକାନନକୁ ଅଣାଯାଇଥିଲ । । ଏହା ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ତାର ଚିକିତ୍ସା କରୁଥିଲେ । ସେ ଆମେରିକା ଏବଂ ସିଙ୍ଗାପୁରର ବିଶେଷଜ୍ଞଙ୍କଠାରୁ ବିନିର ଉତ୍ତମ ଚିକିତ୍ସା ପାଇଁ ପରାମର୍ଶ ନେଉଥିଲେ । ବାର୍ଦ୍ଧକ୍ୟ ହେତୁ ବିନିର ଶ୍ୱାସନଳୀରେ ସମସ୍ୟା ଦେଖାଦେଇଥିଲା । ସେ କିଛି ଦିନ ହେବ ସଠିକ୍ ଆହାର ନେଇ ପାରୁ ନଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବିନି ମୃତ୍ୟୁର ସମ୍ପୁର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ଜଣାପଡ଼ିଛି ।
ବିନିକୁ ୨୦୦୩ ମସିହା ନଭେମ୍ବର ୨୦ ତାରିଖରେ ପୁନେସ୍ଥିତ ରାଜୀବ ଗାନ୍ଧୀ ଜାତୀୟ ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିଲା । ନନ୍ଦନକାନନକୁ ଆସିବା ବେଳେ ତା’ର ବୟସ ୨୫ ବର୍ଷ ଥିଲା । ୪୧ ବର୍ଷ ବୟସରେ ତା’ର ମୃତ୍ୟୁ ହୋଇଛି । ବନ୍ୟ ପ୍ରାଣୀ ବିଶେଷଜ୍ଞଙ୍କ ଗବେଷଣା ଅନୁସାରେ ଜଙ୍ଗଲରେ ଏମାନଙ୍କର ପରମାୟୁ ୩୫ରୁ ୪୫ ବର୍ଷ ମଧ୍ୟରେ ହୋଇଥାଏ ।