କେନ୍ଦୁଝର (ଏଟିଆର ବ୍ୟୁରୋ); ଆଜି ଶ୍ୱଶୁର ଘରକୁ ବାଜା,ବାଣ ଏବଂ ରୋଷଣୀ କରି ବାହାରି ଥାଆନ୍ତେ । କିନ୍ତୁ କୋକେଇରେ ମଶାଣୀ ଗଲେ । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଲୋକନାଥ ମହାନ୍ତ । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ମଙ୍ଗନ କାମ ସରିବା ପରେ ଘରେ ସମସ୍ତେ ଖାଇ ପିଇ ଶୋଇ ପଡିଥିଲେ । ତେବେ ପାହାନ୍ତାରୁ ଉଠି ଲୋକନାଥ ଟେଣ୍ଟ ଲାଇଟ ବନ୍ଦ କରିବା ପାଇଁ ଉଠି ପଡିଥିଲେ । ଏବଂ ସେ ଲାଇଟ ଅଫ କରିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ପାଟି କରି ଚିଲାଇବା ପରେ ସମସ୍ତେ ଦୌଡି ଆସିଥିଲେ । ଏବଂ କରେଣ୍ଟ କାଟି ତାଙ୍କୁ ଉଦ୍ଧାର କରିଥିଲେ ।
ଲୋକନାଥଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାହାଘର ପାଇଁ ସବୁକିଛି ପ୍ରସ୍ତୁତି ଶେଷ ହୋଇ ଯାଇଥିଲା । ଏବେ ଅକାଳରେ ମୃତ୍ୟୁ ହୋଇଥିବା ଖବରକୁ କେହି ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି । ଅପରପକ୍ଷରେ ମଙ୍ଗୁଳା କନ୍ୟା ଦୁଃଖରେ ଭାଙ୍ଗି ପଡିଛି । ତାଙ୍କୁ ଏବେ କିଏ ବାହା ହେବ? ତାକୁ ନେଇ କନ୍ୟା ଘର ଲୋକ ଚିନ୍ତାରେ ।