ବାଲେଶ୍ୱର (ଏଟିଆର ବ୍ୟୁରୋ); ଦୋକାନ ଆଗରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଥିବା ବେଳେ ଦେହରେ ଆଞ୍ଚୁଡା ଦାଗ ରହିଛି । ଏଣୁ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଜଣାପଡିନାହିଁ । ତେବେ ଏଭଳି ରହସ୍ୟ ଜନକ ମୃତ୍ୟୁ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନେଗା ବଜାରରେ । ମୃତ ଯୁବକ ହେଲେ ନୀଳଗିରି କାହାଳିଆ ଅଞ୍ଚଳର ସୁମନ୍ତ କୁମାର ବିନ୍ଧାଣୀ । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ ସୁମନ୍ତ ବାହାନେଗା ବଜାରରେ ଏକ ସାଇକେଲ ଦୋକାନରେ କାମ କରୁଥିଲେ । ସେ କିଛିଦିନ ହେବ ସେଠାରେ ଘରଭଡା ମଧ୍ୟ ନେଇ ରହୁଥିଲେ । ତେବେ ଗତକାଲି ତାଙ୍କର ମୃତଦେହ ଦୋକାନ ଆଗରେ ଥିବା ଏକ ଲୁହା ରେଲିଂରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚଥିଲା ।
ମୃତଦେହରେ ଆଞ୍ଚୁଡା ଦାଗ ରହିଥିବା ଦେଖିବାକୁ ମିଳିଥିଲା । ଏଣୁ କେହି ତାଙ୍କୁ ହତ୍ୟା କରିବା ପରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପଦେବା ପାଇଁ ଚେଷ୍ଟା କରିଛି ବୋଲି ସ୍ଥାନୀୟ ଲୋକ ଟୁପୁରୁ ଟାପୁରୁ ହେଉଛନ୍ତି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଭେଣ୍ଡା ରୋଜଗାରିଆ ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ ।