କଟକ (ଏଟିଆର ବ୍ୟୁରୋ); ଦୁଇ ଦିନ ତଳେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ଘରକୁ ଫେରିନଥିଲେ । ଆଜି ସକାଳେ ମିଳିଲା ମୃତଦେହ । କଟକ ଜିଲ୍ଲା ବାଙ୍କୀ କରବର ଗାଁର କବିବର ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ମୃତଦେହ ଦେଖିବା ପରେ ଗାଁରେ ଦୁଃଖର ଛାୟା ଖେଳିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ,ଦୁଇ ଦିନ ତଳେ କବି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ସଂନ୍ଧ୍ୟା ହୋଇଥିଲେ ସୁଦ୍ଧା ସେ ଘରକୁ ଫେରିନଥିଲେ । ପରିବାର ବହୁ ଖୋଜାଖୋଜି କରିବା ପରେ ଶେଷରେ ଥାନାରେ ଏତଲା ଦେଇଥିଲେ । ପୋଲିସ ଉପସ୍ଥିତିରେ ମହାନଦୀରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ । କିନ୍ତୁ ସେମାନେ ବିଫଳ ହୋଇଥିଲେ । ତେବେ ଆଜି ବାଙ୍କୀ ଜାତମୁଣ୍ଡିଆ ନିକଟ ମହାନଦୀରୁ ସକାଳେ ସ୍ଥାନୀୟ ଲୋକ କବିଙ୍କ ମୃତଦେହ ଭାସିଥିବା ଦେଖିଥିଲେ । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା ।
କବିଙ୍କ ମୃତ ଦେହ ଦେଖିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅକାଳରେ ଭେଣ୍ଡା ପୁଅର ମୃତ୍ୟୁକୁ ପରିବାର ଲୋକ ସହଜରେ ବିଶ୍ୱାଶ କରି ପାରୁନାହାଁନ୍ତି । ଦୁଇଦିନ ପୂବେ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିଲା । ଗୋଟିଏ ଦିନ ପରେ ତାଙ୍କର ମୃତଦେହ ଭାସିଥିଲା ।