ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ବହୁ ଆଶା ନେଇ ଭଗବାନଙ୍କ ନିକଟକୁ ଯାଇଥିଲେ ବୃଦ୍ଧ । ଠାକୁରଙ୍କ ମନ୍ଦିର ପରିସରରେ ଗୁହାରିଆ ମଧ୍ୟ ପଡିଥିଲେ । କିନ୍ତୁ ମାନସିକ ପୂରଣ ନହେବାରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବିଲ ବାଲୁଙ୍କେଶ୍ୱର ମନ୍ଦିରରୁ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଟାଙ୍ଗୀ ଥାନା ପାଣି ଦୂଆର ଗ୍ରାମର ଗଙ୍ଗାଧର ଘଡାଇ । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଗଙ୍ଗାଧର ୨୧ ଦିନ ହେବ ମନ୍ଦିରରେ ଗୁହାରିଆ ପଡିଥିଲେ । ତେବେ ଆଜି ସକାଳେ ମନ୍ଦିର ପରିସରରେ ଥିବା ଏକ ଆମ୍ବ ଗଛରେ ଲୁଗା ଲାଗି ରହିଥିବା ମୃତଦେହକୁ ଦେଖିଥିଲେ ଗାଁଲୋକ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ୁଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଗଙ୍ଗାଧର ପୁରୁଣା କାଳିଆ ଲୋକ ହୋଇଥିବାରୁ ତାଙ୍କର ଠାକୁରଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ଥିବା କହିଛନ୍ତି ସ୍ଥାନୀୟ ଲୋକ । ତେବେ ସେ ୨୧ଦିନ ଗୁହାରିଆ ପଡିବା ପରେ ତାଙ୍କ ମାନସିକ ପୂରଣ ନହେବାରୁ ସେ ଶେଷରେ ବାଧ୍ୟ ହୋଇ ଗଛରେ ଲୁଗା ଲଗାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରିଛନ୍ତି ଲୋକ । ଅପରପକ୍ଷରେ କେତେକ ଲୋକ ଟୁପୁରୁ ଟାପୁରୁ ହେଉଛନ୍ତି କି କେହି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଟଙ୍ଗାଇ ଦେଇଛି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ କିଛି ବାହାରି ପଡିବ ବୋଲି କହିଛି ପୋଲିସ ।