ସୁନ୍ଦରଗଡ (ଏଟିଆର ବ୍ୟୁରୋ); ରାତିରେ ମଦ ପିଇବା ପାଇଁ ଯାଇଥିଲେ ବୃଦ୍ଧା । ସକାଳୁ ଗଛମୂଳରୁ ମିଳିଛି ମୃତଦେହ । ତେବେ ସେ ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା କଟାଙ୍ଗ ପଞ୍ଚାୟତର ମାତେଲିପଡା ଗାଁରେ । ମୃତକ ବୃଦ୍ଧା ହେଲେ ମାଗଦଲି ସାଏ (୫୦) । ପରିବାର ଲୋକ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରାଯାଇଛି ।
ପୋଲିସ ରିପୋର୍ଟ ମୁତାବକ ଗତକାଲି ସନ୍ଧ୍ୟାରେ ମାଗଦଲି ମଦ ପିଇବା ପାଇଁ ଘରୁ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ତେବେ ଆଜି ସକାଳୁ ସ୍ଥାନୀୟ ଲୋକ ତାଙ୍କୁ ଗାଁ ମୁଣ୍ଡରେ ଥିବା ତେନ୍ତୁଳି ଗଛମୂଳେ ପଡିଥିବା ଦେଖିଥିଲେ । ଏହାପରେ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଘଟଣାସ୍ଥଳରେ ପହଁଞ୍ଚିବା ମୃତ ଅବସ୍ଥାରେ ପଡିଥିବା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣା ପଡିନାହିଁ । କେହି କେହି କହୁଛନ୍ତି କି ଏହା ବିଶାକ୍ତ ମଦର କାରଣ ହୋଇଥାଇପାରେ । ଗତକାଲି ବିଶାକ୍ତ ମଦ ପିଇ ୬ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୋଲିସ ସୂଚନା ଦେଇଛି ।