ସୁନ୍ଦରଗଡ (ଏଟିଆର ବ୍ୟୁରୋ); ଏମିତି ବି ଆସିପାରେ ମରଣ । କାରରେ ଯାଉଥିବା ବେଳେ ପଛପଟୁ ପିଟିହେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ଜଣକ ଜୀବନ । ସାଥୀରେ ଯାଉଥିବା ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ନିକଟରେ । ଦୁର୍ଘଟଣାରେ ମୃତ ବ୍ୟକ୍ତି ହେଲେ ଅଗ୍ରପିତା ତିର୍କୀ । ସେ ରାଜଗାଙ୍ଗପୁର କେଶରାବାହାଲ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭିକି ହଂସଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କୌଣସି ଜରୁରୀ କାମରେ ଉଭୟ କାରରେ ସୁନ୍ଦରଗଡ ଯାଉଥିଲେ । ରାଜଗାଙ୍ଗପୁରରୁ ସୁନ୍ଦରଗଡ ଯାଉଥିବା ବେଳେ କୁତ୍ରା ଥାନା ନିକଟରେ ପଛପଟୁ ଏକ ଦଶ ଚକିଆ ଟ୍ରକ ଧକ୍କା ଦେଇଥିଲା । ଫଳରେ କାରଟି ଭାରସାମ୍ୟ ହରାଇ ପିଟିହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ଅଗ୍ରପ୍ରିତଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ଦୁର୍ଘଟଣା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗୁରୁତର ଆହତ ହୋଇଥିବା ଭିକିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅଗ୍ରପ୍ରିତଙ୍କୁ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର ହୋଇଯାଇଛି । କାର ନିଜେ ଅଗ୍ରପ୍ରିତ ଚଳାଇ ଆସୁଥିବା ଜଣାପଡିଛି ।