ଅନୁଗୋଳ (ଏଟିଆର ବ୍ୟୁରୋ): ମା’ କୋଳ ଶୂନ୍ୟ କରି ଦେଲା ଜେସିବି ମେସିନ । ଜେସିବି ନେଲା ୪ବର୍ଷ ଶିଶୁ କନ୍ୟାରେ ଜୀବନ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଅନୁଗୋଳର ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳର ୪ବର୍ଷର ଶିଶୁ କନ୍ୟା ଉପରେ ଚଢିଲା ଜେସିବି ମେସିନ । ଘଟଣାସ୍ଥଳରେ ଚାଲିଗଲା ଶିଶୁ କନ୍ୟାର ଜୀବନ ।
ମିଳିଥିବା ସୂଚନା ମୁତାବକ, ନୂଆ ଗାଁର ପଞ୍ଚୁ ନାୟକଙ୍କ ଝିଅ ଦିନ ୧୨ଟା ବେଳେ ଦାଣ୍ଡରେ ଖେଳୁଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ଆସିଥିବା ଜେସିବି ମେସିନ ପିପିଲ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ପିପିଲର ମୁତ୍ୟୁ ଘଟିଥିଲା । ସ୍ଥାନୀୟ ଉତ୍ତ୍ୟକ୍ତ ଲୋକମାନେ ଜିସିବି ମେସିନ ଓ ଡ୍ରାଇଭରକୁ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଛେଣ୍ଡିପଦା ପୋଲିସ ପହଞ୍ଚିବା ସହ ଅଭିଯୁକ୍ତ ଡ୍ରାଇଭର ଓ ଜେସିବି ମେସିନକୁ ଜବତ କରିଛି । ନୂଆଗାଁର ଭାଲୁବୋଲ ସାହିରେ ପାଇପ ଲାଇନ ଯୋଗେ ଜଳ ଯୋଗାଣ କରିବାକୁ ଜିଲ୍ଲା ଖଣିଜ ପାଣ୍ଠିରୁ ଜଳ ଯୋଗାଣ ନିମନ୍ତେ ଏହି ଜେସିବି ମେସିନ ଆସିଥିଲା ।