କେନ୍ଦୁଝର (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା । ପ୍ରତ୍ୟେକ ଦିନ ଏଭଳି ଖବର ପ୍ରସାରିତ ହେଉଛି । କେଉଁଠି ଯାତ୍ରୀବାହୀ ବସ ଦୁର୍ଘଟଣା ହେଲାଣି ତ ଆଉ କେଉଁଠି ବାଇକ ଚାଳକ । ଗତ ବର୍ଷ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଚାଲି ଯାଇଥିବା ଦେଖିବାକୁ ମିଳିଛି । ତେବେ ପୁଣି ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ଖୁସି ହୋଇ ବାହାଘରରେ ଯୋଗ ଦେବାକୁ ଯାଉଥିବା ଏକ ବରଯାତ୍ରୀ କାର ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୬ ଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଡାପଣ୍ଡା ଥାନା ଅନ୍ତର୍ଗତ ନୁଦୁରୁପଡା ଛକରେ ।
ଏହି ଦୁର୍ଘଟଣାରେ ମୃତକ ହେଲେ ସ୍ୱାଧୀନ ପ୍ରଧାନ । ସେ ରଘୁନାଥପୁର ଗ୍ରାମର ଗୋଲେଖ ପ୍ରଧାନଙ୍କ ପୁଅ । ତାଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି । ତେବେ ଏହି ଦୁର୍ଘଟଣାରେ ଆହାତ ହୋଇଥିବା ଗୁରୁତର ଆହାତ ମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବଂ ଗାଡି ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଶୁକ୍ରବାର ରଘୁନାଥପୁର ଗାଁର ଜଣେ ଯୁବକଙ୍କର ବିହାହ ହେଉଥିଲା । ଏଣୁ ଗାଁର ସାଙ୍ଗମାନେ ମିଶି ଖୁସିରେ ବରଯାତ୍ରୀ ଯାଉଥିଲେ । ମାତ୍ର ଦୁର୍ଭାଗ୍ୟ ବସତଃ ନୁଦୁରାଛକ ନିକଟରେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଛି । ପରେ ଖବର ପାଇବା ପରେ ସ୍ଥାନୀୟ ଲୋକ ଏବଂ ପଛରେ ଆସୁଥିବା ଅନ୍ୟ ଏକ ବରଯାତ୍ରୀ ଗାଡି ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଦେଇଥିଲେ । ବାହାଘର ଭଳି ଖୁସି ସମୟରେ ଏଭଳି ଦୁଃଖକୁ ସହ୍ୟ କରି ପାରି ନାହାଁନ୍ତି ଗ୍ରାମବାସୀ । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।