ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ସାଧାରଣ ଲୋକଙ୍କ ଗାଡି ଦ୍ରୃତଗତିରେ ଗଲେ ପୋଲିସ ବାବୁ ଅଟକାଇ ଫାଇନ କାଟୁଛନ୍ତି । କିନ୍ତୁ ପୋଲିସ ଗାଡି ଯେତେ ଜୋରରେ ଗଲେ ସୁଦ୍ଧା ସେମାନଙ୍କର କେହି କିଛି କରିପାରିବେ ନାହିଁ । ସେମାନେ ଦୁର୍ଘଟଣା ଘଟାଇ ଲୋକଙ୍କ ଜୀବନ ନେଇଗଲେ ସୁଦ୍ଧା କିଛି ଫରକ ପଡିବନି ବୋଲି ସାଧାରଣରେ ଅଭିଯୋଗ ହେଉଛି । କାରଣ ମଙ୍ଗଳବାର ପୋଲିସ ବାବୁଙ୍କ ବେପରୁଆ ଗାଡି ଚାଳନା ପାଇଁ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତିି ।
ପୋଲିସ ଭ୍ୟାନ ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଳା ନାଚୁଣୀ ନିକଟରେ ଜଣଙ୍କର ଜୀବନ ଚାଳଇଯାଇଛି । ମୃତକ ଜଣକ ହେଲେ ଗଙ୍ଗାଧର ସାହୁ (ନନ୍ଦୁ) । ତାଙ୍କ ଘର କରଡି ଗାଁରେ । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଆହାତମାନଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ । ପରେ ଏସପି ଘଟଣାସ୍ଥଳରେ ପହଁଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । କିନ୍ତୁ ଏବେ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।
ମିଳିଥିବା ସୂଚନା ମୁତାବକ ପୋଲିସ ପେଟ୍ରୋଲିଂ ଭ୍ୟାନଟି ରାସ୍ତାରେ ଯାଉଥିବା ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଏହାପରେ ଭ୍ୟାନଟି ଡିଭାଇଡର ଉପରେ ଚଢ଼ି ଯାଇଥିଲା ଏବଂ ବିପରୀତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା । ବାଇକ ଆରୋହି ନନ୍ଦୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ବସିଥିବା ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେପଟେ କାରରେ ବସିଥିବା ଯାତ୍ରୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । କାରଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ଆହାତଙ୍କୁ ପ୍ରଥମେ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।
ପୋଲିସର ଏଭଳି ବେପରୁଆ ଗାଡି ଚାଳନା ପାଇଁ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ କିଛି ଲୋକ ଜୀବନ ସହିତ ସଂଗ୍ରାମ କରୁଛନ୍ତି । ଏଣୁ ସାଧାରଣରେ ପୋଲିସର ଏଭଳି କାମ ପାଇଁ ଘୋର ନିନ୍ଦା କରାଯାଇଛି ।