ଭୁବନେଶ୍ୱର (ଏଟିଆର ବ୍ୟୁରୋ୍): ଗତକାଲି ରାଜଧାନୀ ଭୁବନେଶ୍ୱରର ଛାତି ଥରାଇ ଦେଇଥିଲା ଏକ ବଡ ଧରଣର ବିସ୍ଫୋରଣ । ଗଭର୍ଣ୍ଣର ହାଉସ ନିକଟବର୍ତ୍ତି ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ଏଜି ଛକରୁ ଗଭର୍ଣ୍ଣର ହାଉସ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାକୁ ସିଲ୍ କରିଦିଆଯାଇଥିଲା । କିନ୍ତୁ ଆଜି ଉକ୍ତ ଅଞ୍ଚଳକୁ ବିପଦମୁକ୍ତ ଘୋଷଣା କରାଯାଇଛି । ଏନେଇ ଅଗ୍ନିଶମ ଡିଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଡିଜି ଟ୍ୱିଟ କରି କହିଛନ୍ତି କି, ବିଳମ୍ବିତ ରାତିରେ ଆଇଓସିଏଲ ପେଟ୍ରୋଲ ପମ୍ପରେ ଥିବା ଟ୍ୟାଙ୍କରରୁ ଏଲପିଜି ଗ୍ୟାସ ବାହାର କରିଦିଆଯାଇଛି । ଏହାପରେ ଏବେ ସଂପୃକ୍ତ ଅଞ୍ଚଳକୁ ବିପଦମୁକ୍ତ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ଗଭର୍ଣ୍ଣର ହାଉସ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ବଡ ଧରଣର ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଆକାଶ ଉଞ୍ଚାରେ ହୁତୁ ହୁତୁ ହୋଇ ଜଳୁଥିଲା ନିଆଁ । ଏହାସହିତ ଉକ୍ତ ପେଟ୍ରାଲ ପମ୍ପ ସମ୍ପୂର୍ଣ୍ଣ ଛିନ୍ ଛତର ହୋଇଯାଇଥିଲା । କେବଳ ଏତିକି ନୁହେଁ ପେଟ୍ରୋଲ ପମ୍ପର ଆଖପାଖ ଅଞ୍ଚଳରେ ଥିବା ଘରଗୁଡିକର କାନ୍ଥ ଫାଠିବା ସହିତ କାଚ କବାଟ ଝରକା ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା । ଏଥିରେ ୯ ଜଣ ଆହତ ହୋଇଥିଲେ ।