ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ଶାହଜହାଁପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଦୃତ ବେଗରେ ଆସୁଥିବା ଟ୍ରକଟି ପ୍ରଥମେ ଟେମ୍ପୋକୁ ଧକ୍କା ଦେଇ ପିକଅପ୍ ଭ୍ୟାନ ଉପରେ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି ।
ଏଭଳି ଭୟଙ୍କର ଦୁର୍ଘଟଣା ଘଟିବାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି କ୍ରେନ ସାହାଯ୍ୟରେ ଓଲଟି ପଡିଥିବା ଟ୍ରକ ଏବଂ ଟେମ୍ଫୋ, ଭ୍ୟାନକୁ ରାସ୍ତାରୁ ହଟାଇଛି । ବର୍ତ୍ତମାନ ପୋଲିସ ଘଟଣାରେ ତଦନ୍ତ ଚଳାଇଛି । ଦୁର୍ଘଟଣାଟି ଗାଡିର ସ୍ପିଡ ଅଧିକ ଥିବା ହେତୁ ହୋଇଥିବାର କୁହାଯାଉଛି ।
ସେପଟେ ଶାହଜହାଁପୁରର ଅତିରିକ୍ତ ପୋଲିସ ଅଧିକ୍ଷକ ଦିନେଶ ତ୍ରିପାଠୀ କହିଛନ୍ତି କି ସୀତାପୁର ଆଡୁ ଆସୁଥିବା ଏକ ପାନ ମସଲା ବୋଝେଇ ଟ୍ରକଟି ରୋଜା ଥାନା ଅଞ୍ଚଳର ଜମୁକା ତିରାହେ ନିକଟରେ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଟେମ୍ପୋ ଏବଂ ପରେ ପିକଅପ୍ ଭ୍ୟାନରେ ପିଟି ହୋଇ ଓଲଟି ପଡିଛି । ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଏହି ସଡକ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବି ଜିଲ୍ଲା ପ୍ରଶାସନକୁ ନର୍ଦ୍ଦେଶ ଦେବା ସହ ଆହତଙ୍କୁ ସମସ୍ତ ପ୍ରକାରର ଡାକ୍ତରୀ ସୁବିଧା ଯୋଗାଇ ଦେବା ପାଇଁ କହିଛନ୍ତି ।