ସମ୍ବଲପୁର (ଏଟିଆର ବ୍ୟୁରୋ); ରେଳ ଧାରଣା ଉପରେ ଚଢ଼ିଗଲା ଟ୍ରେଲର ଟ୍ରକ । ଭାରସାମ୍ୟ ହରାଇ ଟ୍ରେଲର ଟ୍ରକଟି ଟ୍ରେନ ଲାଇନ ଉପରେ ଚଢ଼ି ଯାଇଥିବା ଶୁଣିବାକୁ ମିଳିଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ରାସ୍ତାର ଉଭୟ ପାଶ୍ୱରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ରେଳ ଧାରଣା ଉପରେ କଣ୍ଟେନରଟି ଥିବାରୁ ରେଳ ଗୁଡିକ ମଧ୍ୟ ବିଭିନ୍ନ ଷ୍ଟେସନରେ ଅଟକି ରହିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ନିକଟସ୍ଥ ଲକ୍ଷ୍ମୀଡୁଙ୍ଗୁରୀ ଅଞ୍ଚଳରେ ।
ମିଳିଥିବା ସୂଚନା ମୁତାବକ ରବିବାର ସକାଳେ ସମ୍ବଲପୁର ଜାତୀୟ ରାଜପଥ-୫୩ରେ ସମ୍ବଲପୁରରୁ ବରଗଡ ଆଡକୁ ଯାଉଥିବା ବେଳେ ଏକ ଟ୍ରେଲର୍ ଟ୍ରକ୍ ରେଳ ଧାରଣା ଭିତରକୁ ପଶିଯାଇଛି। ଟ୍ରେନ୍ ଲାଇନ୍ କଡ ଦେଇ ଟ୍ରେଲର ଟ୍ରକଟି ଯାଉଥିଲା । ଏକ ମୋଡ଼ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇବସିଥିଲା। ଫଳରେ ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରେଳ ଧାରଣା ଉପରକୁ ଚଢିଯାଇଥିଲା ଟ୍ରକଟି । ଏହା ଫଳରେ କିଛି ସମୟ ପାଇଁ ସେଠାରେ ଅନ୍ୟାନ୍ୟ ଗାଡ଼ି ଅଟକି ଯାଇଥିଲା। ଠିକ୍ ସେହିପରି ଟ୍ରେନ ଚଳାଚଳର ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ଳକ୍ଷ୍ମୀ ଡୁଙ୍ଗୁରି ଆଗକୁ ହୀରାକୁଦ ରେଳ ଷ୍ଟେସନ୍ ରହିଛି।ଏହି ବାଟ ଦେଇ ବହୁ ରେଳ ଯାତାୟତ କରିବାର ସମୟ ଥିଲା। ଏହି କାରଣରୁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇ ନଥିବା ଜଣାଯାଇଛି।