କଟକ (ଏଟିଆର ବ୍ୟୁରୋ); ପୋଖରୀରେ ବୁଡି ଅକାଳରେ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ମାଳତୀଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ଶିଷୁଦ୍ୱୟ ହେଲେ ମୁନା ପଲେଇ ଏବଂ ଗୁଡି ପଲେଇ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଛୋଟ ଛୁଆ ଦୁହିଁଙ୍କର ଅକାଳରେ ମୃତ୍ୟୁ ହୋଇଥିବାରୁ ଗାଁରେ ଦୁଃଖର ଛାୟା ଖେଳି ଯାଇଛି । ଏହି ଖବର ଶୁଣିବା ପରେ ପିଲାଠାରୁ ବୁଢ଼ା ସମସ୍ତଙ୍କ ଆଖିରେ ଭରି ଯାଇଛି ଲୁହର ସାଗର ।
ମିଳିଥିବା ସୂଚନା ମୁତାବକ ସେମାବାର ସ୍କୁଲରୁ ଫେରିବା ପରେ ମୁନା ଏବଂ ଗୁଡି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ । ତେବେ ଏକୁଟିଆ ଗାଧୋଉଥିବା ବେଳେ ଉଭୟ ବୁଡି ଯାଇଥିଲେ । ପରେ ପରିବାର ଲୋକ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ପୋଖରୀରୁ ଛୁଆ ଦୁହିଁଙ୍କୁ ଉଦ୍ଧାର କରି ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଶେଷରେ ହତାଶ ହୋଇ ପରିବାର ଲୋକ ଶବକୁ ନେଇ ଘରକୁ ଫେରିଛନ୍ତି ।