ଦେବଗଡ ( ଏଟିଆର ବ୍ୟୁରୋ): କଲେଜରୁ ଫେରୁଥିଲେ ଘରକୁ । ଅଧା ବାଟରେ ଚାଲିଗଲା ଜୀବନ । ପହଞ୍ଚି ପାରିଲେ ନାହିଁ ଘରେ । ଏମିତି ଏକ ଅଭାବନୀୟ ଘଟଣା ଘଟିିଛି ଦେବଗଡ ଜିଲ୍ଲା ହଦମୁଣ୍ଡା ଘାଟିରେ । ବସ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁସାରେ ଦେବଗଡରୁ ଅନୁଗୁଳ ଯାଉଥିବା ଏକ ଘରୋଇ ବସ ସହିତ ସାମ୍ନାରୁ ଆସୁଥିବା ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା ।
ବାଇକ ଚାଳକଙ୍କ ସମେତ ବାଇକରେ ବସିଥିବା ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବରଣ କରିଥିବା ଯୁବକ ଜଣଙ୍କ ରିଆମାଳା ଥାନା ଅନ୍ତର୍ଗତ ବାଘିଆ କନ୍ଧ ଗାଆଁର ଶଶିଭୂଷଣ ପ୍ରଧାନଙ୍କ ପୁଅ ଆରତ ପ୍ରଧାନ ଓ ତାଙ୍କ ସଂପର୍କୀୟ ଭଉଣୀ ସୀମାରେଖା ବୋଲି ଜଣାପଡ଼ିଛି। ଦେବଗଡ ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।
ମୃତ ଯୁବତୀ ଜଣଙ୍କ ବେଦଗଡ କଲେଜର ଛାତ୍ରୀ ବୋଲି ଜଣା ପଡିଛି । ଦେବଗଡ କଲେଜରୁ ଆରତ ତାଙ୍କ ୁ ଆଣି ଘରକୁ ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ଦୂର୍ଘଟଣା ଘଟାଇଥିବା ବସ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଦୂର୍ଘଟଣା ପରେ କିଛି ସମୟ ପାଇଁ ସେହି ରାସ୍ତାରେ ସମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା ।