ନବରଙ୍ଗପୁର (ଏଟିଆର ବ୍ୟୁରୋ); ପୁଣି ବଜ୍ରପାତରେ ଗଲା ଦୁଇ ଜୀବନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବଡଦେଇ ଗାଁର ଦୁଇଜଣଙ୍କର ଅକାଳରେ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ବିଷମ ନାୟକ ଏବଂ ମହେନ୍ଦ୍ର ଭତ୍ରା । ବିଲରୁ ଉଦ୍ଧାର ହୋଇଛି ଉଭୟଙ୍କ ମୃତ ଦେହ । ଗାଁରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଆଜି ସକାଳେ ପାପଡାହାଣ୍ଡି ଅଞ୍ଚଳରେ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବିଷମ ଏବଂ ମହେନ୍ଦ୍ର ବିଲଆଡେ ଦେଖିବା ପାଇଁ ଯାଇଥିଲେ । ସେଠାରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ପାଖ ବିଲରେ କାମ କରୁଥିବା ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଗାଁକୁ ଆଣିଥିଲେ । ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଗତକାଲି ବଜ୍ରପାତରେ ୫ଜଣଙ୍କର ଜୀବନ ଯାଇଥିଲା । ବରଗଡ ଜିଲ୍ଲାର ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୁବର୍ଣ୍ଣପୁରର ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ବଜ୍ରପାତରେ ପ୍ରାଣ ହରାଇଥିବା ମୃତକ ମାନେ ହେଲେ ଯାଜ୍ଞସେନୀ ବାଗ (୨୪), କୈଳାଶ ବରିହା (୪୫) ଓ ତାଙ୍କ ସ୍ତ୍ରୀ କିଶୋରୀ ବରିହା (୪୧) , ସୁଦନ ଛନ୍ଦ (୨୪) , ଉପେନ୍ଦ୍ର ଭୁଏ (୫୫) ।