ମାଲକାନଗିରି (ଏଟିଆର ବ୍ୟୁରୋ); ଏମିତି ବି ଆସିପାରେ ମରଣ । କେତେବେଳେ କଣ ହେବ ଜାଣିବା ମୁସକିଲ । ମଣିଷ ଜୀବନ ପାଣି ଫୋଟକା ସଦୃଶ । କେତେବେଳେ ଫାଟିବ ତାହା ଜଣା ନଥାଏ । ଗତକାଲି ଭାଇ ଉଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରକୁ ଫେରିଛନ୍ତି କାଳିଆ ସାଆନ୍ତେ । ତେବେ ଜଗନ୍ନାଥଙ୍କ ବାହୁଡା ପର୍ବ ଦେଖିବା ପାଇଁ ଯାଇଥିବା ତିନି ଜଣଙ୍କ ଘରକୁ ଫେରି ପାରିଲେ ନାହିଁ । ଦୁର୍ଘଟଣା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ମାଲକାନଗିରି ଜିଲ୍ଲାରେ ଘଟିଛି ଏଭଳି ଦୁଃଖଦ ଘଟଣା । ବାହୁଡା ଦେଖି ଫେରୁଥିବା ଦୁର୍ଘଟଣା ଘଟିଥିଲା । ଏବଂ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଚମ୍ପାଖାରି ଠାରେ ବାଇକଟି ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡିଥିଲା । ଯେଉଁ କାରଣରୁ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବନମାଳୀ ସିକୁଡୁ ଓ ସଞ୍ଜୟ ସିକୁଡୁ। ଆହତ ଶରତ ମାଝିଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ସ୍ଥାନୀୟ ବେଜିଂଗଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକ ଏବଂ ରାସ୍ତାରେ ଯାଉଥିବା ପଥଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସ ଖବର ପାଇ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ମୃତକ ଦ୍ୱୟଙ୍କ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅକାଳରେ ଦୁଇ ଜଣଙ୍କ ପ୍ରାଣ ଯାଇଥିବାରୁ ଗାଁରେ ଦୁଃଖର ଛାୟା ଖେଳିଯାଇଛି ।