ବାଲେଶ୍ୱର (ଏଟିଆର ବ୍ୟୁରୋ); ସକାଳୁ ପରିବା ନେଇ ହଙ୍କଳର ବିକ୍ରି କରିବା ପାଇଁ ନେଇ ଯାଉଥିଲେ । ତେବେ ହଠାତ ଏକ ଅଜଣା ଗାଡି ଆସି ଚାପି ଦେଇ ଚାଲିଗଲା । ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗୁଡୁଦା ଗାଁ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ହେଲେ ହୃଷିକେଶ ଖଣ୍ଡା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି ।
ସୂଚନା ଅନୁଯାୟୀ, ହୃଷିକେଶ ତାଙ୍କ ବାପାଙ୍କ ସହିତ ପରିବା ଚାଷ କରି ବାଲେଶ୍ୱର ନୂଆ ବଜାରରେ ବିକ୍ରି କରନ୍ତି । ସବୁଦିନ ସେ ପରିବା ନେଇ ସେଠାକୁ ଯାଆନ୍ତି । ତେବେ ଆଜି ଭୋରୁ ସେ ବାଇକରେ ପରିବା ନେଇ ଯାଉଥିବା ବେଳେ ଗୋପିନାଥ ଛକଠାରେ ଏକ ଅଜଣା ଗାଡି ଦୃତ ଗତିରେ ଆସି ତାଙ୍କ ବାଇକ ପଛପଟେ ଜୋରରେ ଧକ୍କା ଦେଇଥିଲା ।
ଏତେ ଜୋରରେ ଧକ୍କା ହୋଇଥିଲା କି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତିକି ବେଳକୁ ସବୁକିଛି ସରି ଯାଇଥିଲା । ଆଉ ନଥିଲା ହୃଷିକେଶଙ୍କ ପ୍ରାଣ ବାୟୁ । ଏହାପରେ ତାଙ୍କ ପରିବାରକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଧକ୍କା ଦେଇଥିବା ଗାଡିଟି ଫେରାର ହୋଇ ଯାଇଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।