କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ସ୍ଥାନୀୟ ପଟ୍ଟାମୁଣ୍ଡାଇ ଆଳି ଅନ୍ତର୍ଗତ ପଦିନିପୁର ପଞ୍ଚାୟତର ଦୈତାରୀପୁର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ୧୫ ଦିନ ହେବ ଗଛମୂଳେ ରହିଛନ୍ତି ଗାଁର ୫୦ରୁ ଅଧିକ ବେସାହରା ପରିବାର । ଗାଁରେ ନିୟମିତ ଭାବରେ ନିଆଁ ଲାଗୁଛି । ଏଣୁ ଲୋକମାନେ ଭୟ କରି ଗାଁ ମୁଣ୍ଡରେ ଗଛମୂଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ସେପଟେ ଲୋକମାନେ ଏତେ ଅସୁବିଧାର ସମୁଖୀନ ହେଉଥିଲେ ମଧ୍ୟ ସେମାନଙ୍କ ପାଖରେ କୌଣସି ପ୍ରଶାସନିକ ଅଧିକାରୀ ପହଁଞ୍ଚି ନଥିବା ଅଭିଯୋଗ ହୋଇଛି ।
ଗାଁରେ ଭୌତିକ କାରଣରୁ ନିଆଁ ଲାଗୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଗାଁର ବହୁ ଲୋକଙ୍କ ଘର ପୋଡି ଯିବା ସହ ସେମାନଙ୍କର ଲକ୍ଷାଧିକ ଟଙ୍କାର ସମ୍ପତି ମଧ୍ୟ ପୋଡି ଯାଇଛି । ତେବେ ବାରମ୍ବାର ନିଆଁ ଲାଗୁଥିବାରୁ ଭୟ କରି ଗଛମୂଳେ ତମ୍ବୁଟାଣି ଆଶ୍ରୟ ନେଉଛନ୍ତି ଲୋକ । ଶୀତ କାକରେ ବହୁତ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି । କେତେକ ପରିବାର ଉପାସ ରହୁଛନ୍ତି । ନିଆଁରେ ଘରର ସବୁ ଆସବାବ ପତ୍ର ଏବଂ ଧାନ ଚାଉଳ ପୋଡି ଯିବା ପରେ ସର୍ବଶାନ୍ତ ହୋଇ ପଡିଛନ୍ତି ଏମାନେ । ଏଣୁ କେତେକ ଲୋକଙ୍କର ଖାଇବା ପାଇଁ ଅସୁବିଧା ହେଉଛି ।
ସରକାରଙ୍କ ଅଗ୍ନିକାଣ୍ଡରେ ବିପର୍ଣ୍ଣମାନଙ୍କ ପାଇଁ ଯୋଜନା ଥିଲେ ମଧ୍ୟ ଏମାନେ ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଦୀର୍ଘଦିନ ହେବ ଏମାନେ ଅସୁବିଧା ଭୋଗୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ନ ପହଁଞ୍ଚି ଥିବା ଅତି ନିନ୍ଦନୀୟ ଘଟଣା । ତେବେ ସରକାରୀ ସହାୟତାକୁ ଆଶା ବାନ୍ଧି ବସିଛନ୍ତି ବିପର୍ଣ୍ଣ ପରିବାର । କେବେ ପ୍ରଶାସନିକ ଅଧିକାରୀ ମାନଙ୍କ କୋପ ଦୃଷ୍ଟି ପଡି ଏମାନଙ୍କ ଉପରେ । ସେପଟେ ସରକାରୀ ସହାୟତାଙ୍କ ଚାତକ ଭଳି ଚାହିଁ ବସିଛନ୍ତି ଗାଁ ଲୋକ ।