ବଲାଙ୍ଗିର (ଏଟିଆର ବ୍ୟୁରୋ): ଶେଷରେ ଭାରି ପଡିଲା ମଦ ପିଇବା । ମଦ ପାଇଁ ଜିଅନ୍ତା ଜଳିଲେ ପରିବାରର ଚାରି ସଦସ୍ୟ । ଆଜ୍ଞା ହଁ ଏଭଳି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ନୂଆ ପଡାରେ ଦେଖିବାକୁ ମିଳିଛି । ନିଆଁରେ ଜଳି ଏବେ ଗୁରୁତର ଅବସ୍ଥାରେ ପରିବାରର ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କର ଦୁଇଟି କୁନି କୁନି ଛୁଆ । ସେମାନଙ୍କୁ ଚିକିତ୍ସା କରିବା ଲାଗି ବଲାଙ୍ଗିର ଭୀମଭୋଇ ହସ୍ୱିଟାଲରେ ଭର୍ତ୍ତି କରାଯାଇଛି ।
ନୂଆପଡାର ଟିକୁ ସୋରେନ ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଫେରନ୍ତି । ଏହାକୁ ନେଇ ସବୁବେଳେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥାଏ । ଫଳରେ ଘରର ବାତାବରଣ ସର୍ବଦା ଅଶାନ୍ତ ରହିଥାଏ । ମାତ୍ର ଆଜି ସକାଳୁ ଟିକୁଙ୍କ ମଦ ପିଇବାକୁ ନେଇ ପତ୍ନୀ କୌଶଲ୍ୟା ଟିକୁଙ୍କ ସହ ଝଗଡା ଲଗାଇ ଥିଲେ । ବାରମ୍ବାର ଏନେଇ ଝଗଡା ହୋଇଥିଲେ ମଧ୍ୟ ଟିକୁ ମଦ ନ ଛାଡିବାରୁ କୌଶାଲ୍ୟା ରାଗି ଯାଇ ତାଙ୍କ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ । କୌଶଲ୍ୟାଙ୍କ ଦେହରେ ନିଆଁ ଲାଗିଯାଇଥିବାର ଦେଖି ଟିକୁ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ନିଆଁ ଲିଭିବା ବଦଳରେ ଟିକୁଙ୍କ ଦେହରେ ବି ଲାଗିଯାଇଥିଲା । ଏହାସହିତ ଘରେ ଥିବା ଦୁଇଜଣ କୁନି କୁନି ଛୁଆଙ୍କ ଦେହରେ ବି ନିଆଁ ଲାଗିଯାଇଥିଲା । ଏଭଳି ଦୃଶ୍ୟ ଦେଖି ପଡୋଶୀ ଧାଇଁ ଆସିବା ସହ ସେମାନଙ୍କୁ ଉଦ୍ଧାର କରି ନେଇ ହସ୍ୱିଟାଲରେ ଭର୍ତ୍ତି କରିଥିଲେ । ଏବେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଖବର ପାଇ ପୋଲିସ ଡାକ୍ତରଖାନାରେ ପହଁଚି ଘଟଣା ବିଷୟରେ ପଚରା ଉଚରା କରୁଛି । ଏହାସହିତ ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଅଘଟଣ ଘଟିଛି ବୋଲି ସ୍ୱାମୀ ଟିକୁ ପୋଲିସକୁ ଜଣାଇଛନ୍ତି ।