ଭଦ୍ରକ (ଏଟିଆର ବ୍ୟୁରୋ); ପାରିବାରିକ କଳହର କରୁଣ ପରିଣତି । ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କଲେ ମହିଳା । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ପୋଡିଗଲେ । ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରକି ଥାନା ସାନକୃଷ୍ଣପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଫକୁରାଣୀ ଜେନା ଏବଂ ଲଡୁ ଗୋପାଳ ପୋଡି ହୋଇଯାଇଛନ୍ତି । ଉଭୟଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମଙ୍ଗଳବାର ରାତିରେ ଫକୁରାଣୀ ଏବଂ ଲଡୁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡାକୁ ନେଇ ଆଜି ସକାଳେ ପୁଣିଥରେ କଜିଆ ହୋଇଥିଲା । ଫକୁରାଣୀ ରାଗି ଯାଇ ଘର ରୋଷେଇ ଘରେ ଥିବା କିରୋସିନ ଦେହରେ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ସ୍ୱାମୀ ଦେଖିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଲଡୁ ମଧ୍ୟ ପୋଡି ହୋଇଯାଇଥିଲେ ।
ପଡୋଶୀମାନେ ପାଟି ଶୁଣି ଉଭୟଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଫକୁରାଣୀଙ୍କ ଶରୀର ୯୦ ଶତକଡା ପୋଡିଯାଇଥିବା ଦେଖିବାକୁ ମିଳିଛି । ଲଡୁଙ୍କ ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି । ତେବେ ଏହି ଘଟଣା ପ୍ରଥମ ନୁହେଁ ପୂର୍ବରୁ ଉଭୟଙ୍କ ମଧ୍ୟରେ ବହୁବାର ଝଗଡା ହୋଇଥିଲା । କିନ୍ତୁ କେବେ ଏଭଳି ହୋଇନଥିବା କହିଛନ୍ତି ପଡୋଶୀ ।