ଅନୁଗୁଳ ( ଏଟିଆର ବ୍ୟୁରୋ): ହାତୀ ନେଲା ଜୀବନ । ପତ୍ର ତୋଳିବାକୁ ଯାଇ ପଡିଗଲେ ହାତୀ ହାବୁଡେ । କଚାଡି ମାରିଲା ହାତୀ । ହାତୀ ଦାଉରୁ ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ଦାବି । ଅନୁଗୁଳରେ ହାତୀ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଏଇ ନିକଟରେ ଘର ବାହାରେ ଶୋଇଥିବା ବେଳେ ତାଳଚେରରେ ହାତୀ ଗୋଟେ ପରିବାରକୁ ମାରି ଦେଇଥିଲା । ତେବେ ପୁଣି ସେମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଛେଣ୍ଡପଦା ଅଞ୍ଚଳରେ ।
ସୂଚନା ଅନୁସାରେ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳ ତାଳ ତାଇଳା ଗ୍ରାମର ଖେଡି ମାଝି କଣଲୋଇ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ । ପତ୍ର ତୋଳିବା ସମୟରେ ଖେଡି ଏକ ହାତୀ ହାବୁଡରେ ପଡିଥିଲେ । ହାତୀଟି ଖେଡିଙ୍କୁ ଜଙ୍ଗଲ ଭିତରେ କଚାଡି ଦେଇଥିଲା । ହାତୀ କଚାଡି ଦେବା ଫଳରେ ଖେଡିଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
ହାତୀ ଉପଦ୍ରବରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ । ଏଥି ସହିତ ସେମାନେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଅଡିବସିଥିଲେ । ତେବେ ଏନେଇ ଖବର ପାଇଁ ଅନୁଗୁଳ ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚିବା ପରେ ଲୋକମାନଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା ।