ବୌଦ୍ଧ (ଏଟିଆର ବ୍ୟୁରୋ); ଶୁକ୍ରବାର ସକାଳୁ ସକାଳୁ ବୌଦ୍ଧ ଜିଲ୍ଲା ପୁରୁଣା କଟକ ସହରରେ ଘଟିଛି ଅଘଟଣ । ବାଇକ ଚଳାଇ ଆସୁଥିବା ଜଣେ ଯୁବକ ଭାରସାମ୍ୟ ହରାଇ ଡ୍ରେନରେ ପିଟି ହେବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକ ହେଲେ ଭାଗିରଥୀ ସେଠୀ । ତାଙ୍କ ଘର ରମ୍ଭାକଟା ଗାଁରେ ବୋଲି ଜଣା ପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ମିଳିଥିବା ସୂଚନା ମୁତାବକ ଶୁକ୍ରବାର ସକାଳ ପ୍ରାୟ ୬ଟା ବେଳେ ଭାଗିରଥୀ ବାଇକ ନେଇ ଆସୁଥିବା ବେଳେ ହଠାତ ରାସ୍ତା କଡରେ ଥିବା ଡ୍ରେନରେ ପିଟି ହୋଇ ଯାଇଥିଲେ । ଏହାପରେ ସେ ବାଇକରୁ ଛିଟିକି ପଡିଥିଲେ । ଛିଟିକି ପଡି ରାସ୍ତା କଡରେ ଥିବା ଏକ ଦୋକାନରେ ଜୋର ମାଡ ହୋଇଥିଲେ । ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକ କହିଛନ୍ତି । ତେବେ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ତାଙ୍କୁ ବଞ୍ଚାଇବା ପାଇଁ ମେଡିକାଲ ନେବା ପାଇଁ ଉଦ୍ଧାର କରିଥିଲେ କିନ୍ତୁ ମୃତ୍ୟୁ ହୋଇଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମୃତ ଦେହକୁ ଉଦ୍ଧାର କରିବା ସହିତ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଦୁର୍ଘଟଣା ଖବର ଶୁଣିବା ପରେ ପରିବାର ଲୋକ ଏବଂ ଗାଁ ଲୋକ ଘଟଣାସ୍ଥଳରେ ପହଁଞ୍ଚି କନ୍ଦାକଟା କରୁଥିବା ଦେଖିବାକୁ ମିଳିଥିଲା ।