କେନ୍ଦୁଝର (ଏଟିଆର ବ୍ୟୁରୋ); ଏମିତିବି ଆସିପାରେ ମୃତ୍ୟୁ । ବସରେ ଶୋଇଥିବା ବେଳେ ହଠାତ ନିଆଁ ଲାଗିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ । ବରଯାତ୍ରୀ ଯାଇ ଫେରିବା ପରେ ବସଟି ବରଘର ସାମନାରେ ଛିଡା ହୋଇଥିଲା । ହଠାତ ରାତି ପ୍ରାୟ ସାଢ଼େ ୨ଟା ବେଳେ କୌଣସି କାରଣରୁ ବସରେ ନିଆଁ ଲାଗିଯାଇଥିଲା । ଫଳରେ ଗାଡିରେ ଶୋଇଥିବା ଅଜଣା ଯୁବକଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ଅନୁଯାୟୀ ବୁଧବାର ରାତିରେ ସାମନ୍ତରାପୁରରୁ ବରଯାତ୍ରୀ ନେଇ ନିକଟସ୍ଥ ଗାଁକୁ ଯାଇଥିଲା । ସେଠାରେ ଭୋଜି ଖାଇସାରି ଫେରିବା ପରେ ବସଟି ବରଘର ଆଗରେ ରାତିରେ ରହିଥିଲା । ରାତି ପ୍ରାୟ ଅଢ଼େଇଟା ହେବ ହଠାତ ଗାଡିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ଦେଖିବା ପରେ ଗାଁ ଲୋକ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗାଡି ଭିତରେ ଶୋଇଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ବୋଧହୁଏ ଯୁବକ ଜଣକ ବାହାଘରରେ ମଦ ପିଇ ଗାଡି ଭିତରେ ନିଶାରେ ଶୋଇଥିଲେ । ଏଣୁ ନିଆଁ ଲାଗିବାରୁ ସେ ଜାଣିପାରି ନାହାଁନ୍ତି ଏଣୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଗାଁରେ କଥା ହେଉଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।