ପୁରୀ (ଏଟିଆର ବ୍ୟୁରୋ); ପୁରୀ ସମୁଦ୍ରରେ ଭାସିଗଲେ ଯୁବକ । ଲାଇଫ ଗାର୍ଡ ଏବଂ ଅଗ୍ନିଶମ କର୍ମଚାରୀ ଦୀର୍ଘ ଦୁଇ ଘଣ୍ଟା ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତା ମିଳିପାରି ନାହିଁ । ତେବେ ନିଖୋଜ ହୋଇଥିବା ଯୁବକ ଜଣକ ହେଲେ ଭବରଞ୍ଜନ । ତାଙ୍କ ଘର ବାଙ୍କୀ ଅଞ୍ଚଳରେ ବୋଲି ଜଣା ପଡିଛି । ପରିବାର ଲୋକ ଖବର ପାଇ ପୁରୀରେ ପହଁଞ୍ଚିଥିଲେ ସୁଦ୍ଧା ଭବରଞ୍ଜନଙ୍କୁ ଉଦ୍ଧାର କରିପାରି ନାହାଁନ୍ତି ଲାଇଫ ଗାର୍ଡ । ପରିବାର ଲୋକ ପୁଅକୁ ନଦେଖି ସମୁଦ୍ର କୂଳରେ କାନ୍ଦ ବୋବାଳି ପକାଉଛନ୍ତି । ତେବେ ଲାଇଫ ଗାର୍ଡ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ମିଳିଥିବା ସୂଚନା ମୁତାବକ ଶୁକ୍ରବାର ବାଙ୍କୀ ଅଞ୍ଚଳରୁ ଚାରି ଜଣ ଯୁବକ ବୁଲିବା ପାଇଁ ପୁରୀ ଆସିଥିଲେ । ସେମାନେ ସ୍ୱର୍ଗଦ୍ୱାର ସାମନାରେ ସମୁଦ୍ରରେ ଗାଧୋଉଥିଲେ । ହଠାତ ଭବରଞ୍ଜନ ପାଣି ଭିତରକୁ ଟାଣି ହୋଇ ଯାଇଥିଲେ । ଏହା ଦେଖିବା ପରେ ତିନି ଜଣ ସାଙ୍ଗ ପ୍ରଥମେ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ । ଶେଷରେ ଲାଇଫ ଗାର୍ଡଙ୍କ ସହାୟତା ମାଗିଥିଲେ । କିନ୍ତୁ ଲାଇଫ ଗାର୍ଡ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପହଁଞ୍ଚିବାରେ ବିଳମ୍ବ ହୋଇଥିଲା । ତେବେ ପରିବାର ଲୋକଙ୍କୁ ସାଙ୍ଗମାନେ ଖବର ଦେବା ପରେ ପରିବାର ଲୋକ ଆସି ପୁରୀରେ ପହଁଞ୍ଚିଥିଲେ ସୁଦ୍ଧା ଭବରଞ୍ଜନଙ୍କ ପତା ମିଳିନାହିଁ ।