କଟକ (ଏଟିଆର ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ମାଟ୍ରିକ ପରୀକ୍ଷାର୍ଥୀଙ୍କର ତିନୋଟି ବିିଷୟରେ ପରୀକ୍ଷା ଶେଷ ହୋଇଥିବା ବେଳେ ପ୍ରତି ପରୀକ୍ଷାରେ କିଛି ନା କିଛି ଅଭିଯୋଗ ଓ ତୃଟି ଦେଖିବାକୁ ମିଳୁଛି । ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ ହୋଇ ଭାଇରାଲ ହେଇଥିବା ବେଳେ ଦ୍ୱିତୀୟ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଅଭିଭାବକମାନେ ପରୀକ୍ଷାକେନ୍ଦ୍ରର ପାଚିରୀ ଡେଇଁ କପି ଯୋଗାଇ ଦେଉଥିବାର ଦୃଶ୍ୟ ଭାଇରାଲ ହୋଇଯାଇଥିଲା । ଏବେ ପୁଣି ଗତକାଲି ସରିଥିବା ତୃତୀୟ ଭାଷାର ପରୀକ୍ଷା ସମୟରେ ଅନେକ ସଂଖ୍ୟାକ ପରୀକ୍ଷାର୍ଥୀ କପି କରୁଥିବାର ଧରାପଡିଥିଲେ ।
ଗତକାଲି ମୋଟ ୧୧୮ଜଣ ପରୀକ୍ଷାର୍ଥୀ କପି କରୁଥିବାର ସ୍କ୍ୱାର୍ଡ ହାତରେ ଧରାପଡି ମାଲପ୍ରାକ୍ଟିସ (ଏମପି) ଅଭିଯୋଗରେ ବୁକ ହୋଇ ପରୀକ୍ଷା ଦେବାରୁ ବାଦ ପଡିଛନ୍ତି । ସେଥିମଧ୍ୟରୁ ମାଟ୍ରିକରେ ୧୦୮ଜଣ ପରୀକ୍ଷାର୍ଥୀ ଏମପିରେ ବୁକ ହୋଇଥିବା ବେଳେ ଏସଓଏସପି ପରୀକ୍ଷାରେ ୧୦ଜଣ ପରୀକ୍ଷାର୍ଥୀ ଏମପିରେ ବୁକ ହୋଇଛନ୍ତି । ଚଳିତବର୍ଷର ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଆଖି ଦୃଷ୍ଟିଆ ପଦକ୍ଷେପମାନ ଗ୍ରହଣ କରାଯାଇଛି । ତେବେ ଏହି ସବୁ କାର୍ଯ୍ୟନୁଷ୍ଠାନ ଯେମିତି ଧର୍ମକୁ ଆଖିଠାର ସଦୃଶ୍ୟ ପାଲଟି ଯାଇଛି ।
ମାଟ୍ରିକ ପରୀକ୍ଷା ଆରମ୍ଭ ପୂର୍ବରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ଯେପରି ବିଭନ୍ନ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲଗାଯିବା, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଏମିତି ଅନେକ କିଛି । ହେଲେ ଏତେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ମଧ୍ୟ ସେସବୁ କିଛି ଲାଭରେ ଯେପରି ଆସୁନଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଯେଉଁ ସବୁ ବିଷୟର ପରୀକ୍ଷା ଶେଷ ହୋଇଗଲାଣି ସେହିସବୁ ବିଷୟର ଉତ୍ତର ଖାତା ଗୁଡିକୁ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି । ଏହି ସବୁ ଉତ୍ତର ଖାତା ଗୁଡିକ ୬୯ଟି ମୂଲ୍ୟାୟନ କେନ୍ଦ୍ର କୁ ପଠାଯାଇଥିବା ବେଳେ ଏହାକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି ।