ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ଜାନୁଆରୀ ୮ ତାରିଖରୁ ଦଶମ ଶ୍ରେଣୀ ଛାତ୍ରାଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଥିବା ବେଳେ ମେ ୩ ତାରିଖରେ ଆରମ୍ଭ ହେବ ଦଶମ ବୋର୍ଡ ପରୀକ୍ଷା । କିନ୍ତୁ ଚଳିତ ବର୍ଷ କେବଳ ୮୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଶ୍ରୀ ଦାସ କହିଛନ୍ତି , ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଚଳିତବର୍ଷ ୮୦ ମାର୍କର ପରୀକ୍ଷା ଦେବେ । ୫୦ ମାର୍କ ଓଏମଆର ରେ ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନର ଉତ୍ତର ଦେବେ । ମାତ୍ର ୧୦୦ ମାର୍କର ମୂଲ୍ୟାୟନ କରାଯିବ । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ଆଭରେଜ୍ ମାର୍କ ପାଇବେ ଛାତ୍ରଛାତ୍ରୀ । ସେହିପରି ପରୀକ୍ଷା ଶେଷ ହେବାର ୪୫ ରୁ ୫୦ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ ।
ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୮ ତାରିଖରେ ଖୋଲିବ ସ୍କୁଲ । ଶନିବାର ଏବଂ ରବିବାରକୁ ମିଶାଇ ସ୍କୁଲରେ ୧୦୦ ଦିନ ପାଇଁ ହେବ ପାଠପଢା । ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପାଠପଢିବା ପାଇଁ ସ୍କୁଲକୁ ଯିବେ ।
ଅନ୍ୟପଟେ ମେ ମାସ ୩ ତାରିଖରୁ ୧୫ ତାରିଖ ଯାଏଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରାଯିବ । ଏପ୍ରିଲ ୨୭ରୁ ମେ ୨ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ । ସେହିପରି ମେ ୧୫ ରୁ ଜୁନ୍ ୧୧ ପର୍ୟ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ଏପ୍ରିଲ ୨୯ ରୁ ମେ ୧୪ ଯାଏଁ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ହେବ ।