ବାଲେଶ୍ୱର (ଏଟିଆର ବ୍ୟୁରୋ ) ; ଫୁଟିଲା ବୋମା । ଅଶାନ୍ତ ହେଲା କଲେଜ କ୍ୟାମ୍ପସ । ଖାଲି ସେତିକି ନୁହେଁ କଲେଜରେ ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟରେ ଘଟିଛି । କଲେଜରେ ବୋମା ମାଡ ଯୋଗୁ ଆଗକୁ ଆସୁଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି କଲେଜର ଅଧକ୍ଷ ।
ଏହାସହ ସମ୍ପୁର୍ଣ୍ଣ କଲେଜ ପରିସରରେ ସାଇନ ଏ ଡାଏ ଘୋଷଣା କରାଯାଇଛି । ଆଜି କଲେଜ ରେ ପ୍ରତିଦିନ ଭଳି ଶ୍ରେଣୀ ଗୃହରେ ପାଠପଢା ଚାଲିଥିଲା । ପାଖାପାଖି ୧୧ଟା ୧୫ ମିନିଟ ସମୟରେ କଲେଜ ପରିସରରେ ଗୋଟିଏ ପରେ ଗୋଟିଏ ମୋଟ ତିନୋଟି ବୋମା ଫୁଟିବାକୁ ଲାଗିଲା । ଏହା ପ୍ରଭାବରେ ଛାତ୍ର ଛାତ୍ରୀ ମାନେ ଭୟରେ କ୍ଲାସରୁମ ଛାଡି ବାହାରକୁ ପଳାଇଯାଇଥିଲେ । ସେପଟେ କୌଣସି ଛାତ୍ର ଛାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ପରେ ନୀଳଗିରି ମହାବିଦ୍ୟାଳୟରେ ପୋଲିସ ପହଞ୍ଚି କଲେଜର ଶୌଚାଳୟରୁ ଏକ ଅଫୁଟା ବୋମା ଠାବ କରିଛି । ତେବେ ବୋମା ମାଡର କାରଣ ଜଣାପଡିନଥିବା ବେଳେ ନିର୍ବାଚନକୁ ନେଇ ଏପରି କରାଯାଇଥିବାର କୁହାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।