ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସେଂଟ୍ରାଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ ତଥା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)ର ଆବେଦନ ତାରିଖକୁ ସ୍ଥଗତି ରଖାଯାଇଛି । ଆବେଦନ ପାଇଁ ଜୁନ ୨୨ ତାରିଖକୁ ଧାର୍ଯ୍ୟ କରାଯାଇଥିଲା, ହେଲେ ସିଟିଇଟି ନୋଟିଫିକେଶନ ଜାରି କରି ଉକ୍ତ ଦିନକୁ ରଦ୍ଧ କରି ଆବେଦନ ପ୍ରକ୍ରିୟାକୁ ରୋକ ଲଗାଇବା ସୂଚନା ଦେଇଛି । ସିଟିଇଟି ପରୀକ୍ଷା ସିବିଏସି ଦ୍ୱାରା ଆୟୋଜିତ କରାଯାଉଥିଲା । ତେବେ ବିଭାଗର କହିବାନୁଯାୟୀ, ଆଡମିନିଷ୍ଟ୍ରେଟିଭ କାରଣରୁ ଏପରି ବିଳମ୍ବ ହୋଇଛି । ଆଗକୁ ଏହି ପରୀକ୍ଷା ନିମନ୍ତେ ନୂଆ ତାରିଖ ଘୋଷଣା କରାଯିବ ।
ଆଶ୍ୱର୍ଯ୍ୟର କଥା ଏହା କି, ଗତ ଜୁନ ୧୮ରେ ମାନବ ସମ୍ବଳ ବିକାଶ (ଏଚଆରଡି)ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ ଯେ,ସେଂଟ୍ରାଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ ତଥା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଯେଭଳି ଆଗରୁ ଆୟୋଜିତ ହେଉଥିଲା, ସେହିଭଳି ସମସ୍ତ ଭାରତୀୟ ଭାଷାରେ ଆୟୋଜିତ ହେବ । ତାମିଲ ସହିତ ୨୦ଟି କ୍ଷେତ୍ରୀୟ ଭାଷାରେ ଆୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏଚଆରଡି ମିନିଷ୍ଟର ପ୍ରକାଶ ଜାଭଡେକରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ଆୟୋଜିତ କରିବା ପାଇଁ ଅଧିକ ସମୟ ଲାଗିପାରେ ବୋଲି ସିବିଏସଇ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିଲା । କାରଣ ଏବେ ୨୦ଟି ଭାଷାରେ ପରୀକ୍ଷା ଦେବା ପାଇଁ ନୂଆ ପ୍ରଣାଳୀରେ ଆୟୋଜିତ କରିବାକୁ ପଡିବ ।