ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଜୁଲାଇ ୧୫ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ନାମ ଲେଖା କାର୍ଯ୍ୟ ସାରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଚିତ୍ରା ଅରୁମୁଗମ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସଚିବ କହିଛନ୍ତି ସକାଳ ୭ଟାରୁ ୯.୩୦ ମଧ୍ୟରେ ସ୍କୁଲରେ ନାମ ଲେଖା ପ୍ରକ୍ରିୟା କରାଯିବ । ତେବେ ୫ ଜଣଙ୍କୁ ଅଧିକ ଅଭିଭାବକ ଓ ଛାତ୍ରାଛାତ୍ରୀ ମାନେ ଏକା ସମୟରେ ସ୍କୁଲକୁ ନାମ ଲେଖାଇବାକୁ ଆସି ପାରିବେ ନାହିଁ ।
ସ୍କୁଲକୁ ନାମ ଲେଖାଇବା ପାଇଁ ଆସୁଥିବା ଅଭିଭାବକ ଓ ଛାତ୍ରାଛାତ୍ରୀ ମାନେ ଯେପରି କୋଭିଡ -୧୯ ନିୟମ ମାନିବେ ସେନେଇ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅଧ୍ୟାପକ ମାନେ ଧ୍ୟାନ ଦେବେ । ଛାତ୍ରଛାତ୍ରୀ, ଅଭିଭାବକଙ୍କ ଲାଗି ସ୍କୁଲ ନୋଟିସ ବୋର୍ଡରେ ସମସ୍ତ ନିର୍ଦ୍ଦେଶାବଳୀ ଉପଲବ୍ଧ ହେବ । ଏଥିସହ ନିର୍ଦ୍ଦେଶାବଳୀକୁ ହ୍ୱାଟସ ଆପ ମାଧ୍ୟମରେ ଛାତ୍ରଛାତ୍ରୀ, ଅଭିଭାବକ , ସିଆରସିସିକୁ ପଠାଯିବ । ଏହା ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଲାଗି ଲାଗୁ ହେବ । ବିଭାଗ ଅଧୀନରେ ଥିବା ମାଦ୍ରାସା ଓ ସଂସ୍କୃତ କେନ୍ଦ୍ର ଗୁଡ଼ିକରେ ମଧ୍ୟ ଏହି ସମାନ ନିୟମ ଲାଗୁ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ କରୋନା ମୁକାବିଲା କରିବା ପାଇଁ ବହୁଦିନ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇ ରହିଛି । ତେବେ ଜୁନ ୧୭ ତାରିଖରେ ସ୍କୁଲ ଖୋଲିବ ବୋଲି ସରକାର ନିଷ୍ପତି ନେଇଥିଲେ । ହେଲେ କେନ୍ଦ୍ର ସରକାର ଜାରି କରିଥିବା ନୂଆ ଗାଇଡ ଲାଇନ୍ ଅନୁସାରେ ଚଳିତ ମାସ ସ୍କୁଲ ଖୋଲା ଯାଇ ପାରିବ ନାହିଁ । ତେବେ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।