ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରିକ୍ଷା । ଏନେଇ ସବୁ ପ୍ରସ୍ତୁତି ସରିଛି । ଗତବର୍ଷ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାକୁ ନେଇ ଚଳିତ ବର୍ଷ ବୋର୍ଡ ପକ୍ଷରୁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷ ପ୍ରଶ୍ନପତ୍ରରେ ଡିଜିଟାଲ ଲକର ରହିବାର ବ୍ୟବସ୍ଥା କରାଯାଇଛି । ଏହା ସହ ଖାତାରେ ସିକ୍ୟୁରିଟି କୋଡ ରହିବ । ଏହି ଡିଜିଟାଲ ଲକ ଓ ସୁକ୍ୟୁରିଟି କୋଡ ଖାଲି ଆଖିରେ ଦେଖାଯିବ ନାହିଁ । ଫଳରେ ପ୍ରଶ୍ନ ପତ୍ର ଲିକ ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ଯଦି କୌଣସି ବ୍ୟକ୍ତି ଫଟେ ଉଠାଇ ପ୍ରଶ୍ନପତ୍ର ଭାଇରାଲ କରିବାକୁ ଚେଷ୍ଟା କଲା ତେବେ ତାହା କୋଡ ଆଡମିନ ଜାଣିପାରିବେ । କେଉଁ ଜାଗାରୁ ପ୍ରଶ୍ନପତ୍ର ଲିକ ହୋଇଛି ତାହା ସହଜରେ ଜାଣିହେବ ।
ସୂଚନା ଅନୁସାରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଏମବିଏ ପରିକ୍ଷା ନିମନ୍ତେ ଯେମିତି ଡିଜିଟାଲ କୋଡ ଓ ସିକ୍ୟୁରିଟି ଲକ ବ୍ୟବସ୍ଥା କରାଯାଇଥିଲା ସେହିପରି ମାଟ୍ରିକ ପରୀକ୍ଷାରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ବୋର୍ଡ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ସ୍ଥିର କରାଯାଇଛି । ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଓଡିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତାରେ ପରୀକ୍ଷାରେ ଲାଗୁ କରାଯାଇଥିଲା । ଏନେଇ ବୋର୍ଡ ପକ୍ଷରୁ ରାଜ୍ୟ ବାରେ ଥିବା ଏକ ଆଇଟି କମ୍ପାନୀ ସହିତ ଚୁକ୍ତି କରାଯାଇଛି ।