ସମ୍ବଲପୁର,(ଏଟିଆର ବ୍ୟୁରୋ): ବୋର୍ଡ ଅଫିସରେ ଆତଙ୍କ ରଚିଲେ ଦୁର୍ବୃତ୍ତ । ଧଶେଇ ପସିଲେ, ଅଫିସରେ ନିଆଁ ଲଗାଇ ଦେଲେ । ପ୍ରାୟ ୭/୮ଜଣ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡକୁ ନେଇ ଏବେ ପୂରା ଅଫିସ ଥରହର । କେବଳ ଏତିକି ନୁହେଁ ୨ଟି ଗାଡି ମଧ୍ୟ ଦୁର୍ବୃତ୍ତମାନେ ପୋଡି ଦେଇଥିବା ସୂଚନା ମିଳିଛି । ଘଟଣାଟି ହେଉଛି ସମ୍ବଲପୁର ଜେଲ ଛକ ନିକଟରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଶାଖାର । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଏବେ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ଡେପୁଟି ସେକ୍ରେଟେରୀ ସୂର୍ଯ୍ୟମଣୀ ମାଝି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଦୁର୍ବୃତ୍ତମାନେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଦିନ ପ୍ରାୟ ୨ଟା ବେଳେ ଅଚାନକ କାର୍ଯ୍ୟାଳୟ ଭିତରକୁ ୭/୮ଜଣ ଦୁର୍ବୃତ୍ତ ଧଶେଇ ପସିଥିଲେ । କିଛି ବୁଝିବା ପୂର୍ବରୁ ସେମାନେ ପାଟିତୁଣ୍ଡ କରିବା ସହ କାର୍ଯ୍ୟାଳୟ ଭିତରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ପୂରା କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଉଦୁଉଦିଆ ଖରାବେଳେ ଦୁର୍ବୃତ୍ତଙ୍କ ଏଭିଳି ଉତ୍ପାତ ଏବେ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚି ଛିଡା କରିଛି ।