ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀ ମାନେ ଅନଲାଇନ୍ ଯୋଗେ ପାଠ ପଢୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ ଏଜୁକେସନ ପାଇଁ ନୂତନ ଗାଇଡଲାଇନ୍ ଜାରି କରାଯାଇଛି । ସେହିଅନୁଯାୟୀ ଅନଲାଇନ୍ କ୍ଲାସର ସମୟକୁ ସୀମିତ କରିଦିଆଯାଇଛି ।
ଏଚଆରଡି ମନ୍ତ୍ରାଳୟ ମୁତାବକ, ପ୍ରି-ପ୍ରାଇମେରୀ ଛାତ୍ରଛତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସର ସମୟ ୩୦ ମିନିଟ୍ ରୁ ଅଧିକ ହେବା ଅନୁଚିତ୍ । ଗାଇଡଲାଇନ୍ ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏନସିଆରଟିର ଏକାଡେମିକ କଲ୍ୟାଣ୍ଡରକୁ ଅନୁସରଣ ପାଇଁ କୁହାଯାଇଛି ।
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪୫ ମିନିଟ୍ ଲେଖାଁଏ ୨ଟି ଅନଲାଇନ୍ ସେସନ ହେବ । ସେହିପରି ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାଇଁ ୪୫ ମିନିଟି ପର୍ଯ୍ୟନ୍ତ ୪ଟି ସେସନ କରାଯିବ ।
ଗାଇଡଲାଇନ୍ ରେ ଡିଜିଟାଲ ବା ଅନଲାଇନ୍ ଶିକ୍ଷାକୁ ନେଇ ୮ ଟି ପଦକ୍ଷେପ ପାଇଁ ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ ଯୋଜନା, ସମୀକ୍ଷା, ବ୍ୟବସ୍ଥା, ମାର୍ଗଦର୍ଶନ, ବାର୍ତ୍ତା, କାର୍ଯ୍ୟ, ତଦାରଖ ଏବଂ ପ୍ରଶଂସା ସାମିଲ ଅଛି । ଏହାସହିତ ଏଥିରେ ଅନଲାଇନ୍ ଶିକ୍ଷା ସମୟରେ ଶାରିରୀକ, ମାନସିକ ସ୍ୱାସ୍ଥ୍ୟ ଏବଂ କୁଶଳତା ଉପରେ ଧ୍ୟାନ ରଖିବା ପାଇଁ ଜୋର ଦିଆଯାଇଛି ।