ନୂଆପଡା (ଏଟିଆର ବ୍ୟୁରୋ); ମେଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ୫ଜଣ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ନୂଆପଡା ଜିଲ୍ଲା ବୋଡେନ ଥାନା ପୋଲିସ ଏହି ଅଭିଯୁକ୍ତ ଶିକ୍ଷକମାନଙ୍କୁ ଗିରଫ କରି ପଚରା ଉଚରା କରୁଛି । ତେବେ ଏହି ୫ଜଣ ଶିକ୍ଷକ ହେଲେ ବରଙ୍ଗମାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ପ୍ରସନ୍ନ କୁମାର ପତି, ଇନଭିଜିଲେଟର ବିଘ୍ନରାଜ ସୁପକାର, ମୁକୁନ୍ଦ ଶବର ଓ ଲିଟିସର୍ଗି ଗୋପନାଥ ହାଇସ୍କୁଲ ପରୀକ୍ଷାକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ସୁଶୀଳ କୁମାର ଯୋଶୀ ଏବଂ କ୍ରୀଡ଼ା ଶିକ୍ଷକ ଅର୍ଜୁନ ପଣ୍ଡା । ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏହି ୫ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଥିଲା । ଗତକାଲି ବୋର୍ଡ ପରୀକ୍ଷା ପ୍ରଥମ ଦିନରେ ସାହିତ୍ୟ ବିଷୟରେ ପରୀକ୍ଷା ହୋଇଥିଲା । ପରୀକ୍ଷା ଶେଷ ଆଡ଼କୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୂରି ବୁଲିବା ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।
ସେପଟେ ନୂଆପଡ଼ା ଡିଇଓ କରଙ୍ଗାମାଲ ହାଇସ୍କୁଲ ସୁପରିନ୍ଟେଣ୍ଡେଣ୍ଟଙ୍କ ସହ ଦୁଇ ଜଣ ୨ ଇନଭିଜିଲେଟରଙ୍କ ନାଁରେ ଏତଲା ଦେଇଥିଲେ। ସେହିପରି ଲିଟିସର୍ଗି ଗୋପୀନାଥ ହାଇସ୍କୁଲ ସୁପରିନ୍ଟେଣ୍ଡେଣ୍ଟ ଓ କ୍ରୀଡ଼ା ଶିକ୍ଷକଙ୍କ ନାଁରେ ମଧ୍ୟ ଏତଲା ଦେଇଥିଲେ।ଅନ୍ୟପକ୍ଷରେ ନୂଆପଡ଼ା ଡିଇଓ ଦୁଇଟି ହାଇସ୍କୁଲର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଘଟଣାକୁ ନେଇ ଡିଇଓ ବୋଡ଼େନ ଥାନାରେ ଏତଲା ଦେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତବର୍ଷ ବାରମ୍ବାର ପ୍ରଶ୍ନପତ୍ର ଲିକ ହୋଇଥିଲା । ଏଣୁ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାକୁ କଡାକଡି ଭାବରେ କରାଯିବ ବୋଲି ପୂର୍ବରୁ ସୂଚନା ମିଳିଥିଲା । ପରୀକ୍ଷା ହଲକୁ ମୋବାଇଲ ବାରଣ ହୋଇଥିଲା । ମାତ୍ର ପରୀକ୍ଷା ଆରମ୍ଭ ଦିନରୁ ହିଁ ବେଙ୍ଗା ହୋଇଯାଇଛି । ପ୍ରଥମ ଦିନରୁ ପରୀକ୍ଷା ଚାଲିବାର ଘଣ୍ଟାକପରେ ସୋସିଆଲ ମିଡିଆରେ ଘୁରି ବୁଲିଲା ପ୍ରଶ୍ନପତ୍ର । ତେବେ ଆଗାମୀ ପରୀକ୍ଷାକୁ ନେଇ ଛାତ୍ର ଛାତ୍ରୀମାନେ ଭୟଭୀତ ଅଛନ୍ତି ।