ଭୁବନେଶ୍ୱର(ଏଟିଆର ବ୍ୟୁରୋ) : ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜର ସଭା ଗୃହରେ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ତରଫରୁ “ଓଡିଆ ଚଳଚ୍ଚିତ୍ରର ସମସାମୟିକ ସମସ୍ୟା“ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇ କହିଥିଲେ ଯେ ଓଡ଼ିଆ ସିନେମା ଏବେ ପ୍ରାସଙ୍ଗିକତା ହରାଉଛି କାରଣ ସିନେମା ବିଷୟରେ କିଛି ମୌଳିକ ଧାରଣା ନଥିବା ଲୋକମାନେ ହିଁ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ।
ଗୋଟିଏ ଭଲ ସିନେମା ତିଆରି କରିବାକୁ ହେଲେ ଭଲ କଳାକାର ସହିତ ଉପଯୁକ୍ତ ଭିତିଭୂମି ଏବଂ ସିନେମାର ବଜେଟ୍ ଉପରେ ଧ୍ୟାନ ଦେବାକୁ ପଡିଥାଏ ଯାହା ଦ୍ୱାରା ସିନେମାଟି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇପାରିବେ । ଚଳଚ୍ଚିତ୍ର ପ୍ରଯୋଜକ ଅଜୟ ରାଉତରାୟ ଅନ୍ୟତମ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ଓଡିଆ ସିନେମା ଅନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଆଜିବି ବହୁ ପଛରେ ରହିଛି ।
ସିନେମା ଚରିତ୍ର, ସିନେମା ତିଆରି କରିବାର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ସର୍ବୋପରି ସମାଜ ଉପଯୋଗୀ ଷ୍ଟୋରୀ ମିଳିପାରିଲେ ଭଲ ସିନେମା ତିଆରି ହୋଇପାରିବ ବୋଲି ସେ ମତ ଦେଇଥିଲେ । ସିନେ ସମାଲୋଚକ ସୂର୍ଯ୍ୟ ଦେଓ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ବହୁମୂଲ୍ୟ ମତ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ମୁଖ୍ୟ ମନୋରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନା କରିଥିଲେ । ଏହି ଆଲୋଚନା ଚକ୍ରରେ ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ସବୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।