ଜଗତସିଂହପୁର ( ଏଟିଆର ବ୍ୟୁରୋ) : ସମସ୍ତଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ଜଗତସିଂହପୁର ଝିଅ ଶାଶ୍ୱତି ମହାନ୍ତି । ଓଜେଇଇ ପରୀକ୍ଷାରେ ଓଡିଶାରେ ପ୍ରଥମ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଯାହାକୁ ନେଇ ଏବେ ଶାଶ୍ୱତିଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୂଚନାଯୋଗ୍ୟ ଜଗତସିଂପୁର ମୁଖ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ କାଦୁଅପଡା ନିବାସୀ ଶିବାଶ୍ରିତ ମାହାନ୍ତିଙ୍କ ଝିଅ ଶାଶ୍ୱତୀ ଏଥର ସାରା ଓଡିଶାରେ ଓଜେଇଇ ସିଭିଲ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ତାଙ୍କର ଏହି ସଫଳତା ପାଇଁ ପୁରା ଜିଲ୍ଲାରେ ଏବେ ଖୁସିର ଲହରୀ ଖେଳି ଯାଇଛି । ନିଜର ଦୃଢ ଇଚ୍ଛା ଶକ୍ତି ବଳରେ ସେ ତାଙ୍କ ସ୍ୱପ୍ନକୁ ପୂରଣ କରି ପାରିଛନ୍ତି । ସେ କୁହନ୍ତି ତାଙ୍କ ସ୍ୱପ୍ନ ଆଗରେ ପରିବାରର ଆର୍ଥିକ ଅନଟନ କେବେ ହେଲେ ପ୍ରତିବନ୍ଧକ ହୋଇ ନାହିଁ । ଶାଶ୍ୱତୀଙ୍କ ବାପା ଜଣେ ଛୋଟ ଡିଟିପି ସେଣ୍ଟର ଟିଏ ଖୋଲି ସେଥିରୁ ପରିବାର ଚଲାଇଥାନ୍ତି ।
ନିଜ ବାପା ମାଙ୍କ ପ୍ରେରଣା ଓ ସହଯୋଗ ପାଇଁ ସେ ସଫଳତା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ତାଙ୍କୁ ନେଇ ବାପା ଦେଖିଥିବା ସବୁ ସ୍ୱପ୍ନକୁ ଆଗାମୀ ଦିନରେ ପୂରଣ କରିବେ ବୋଲି କହିଛନ୍ତି ।ସୂୂଚନାଯୋଗ୍ୟ ଦୁଇଟି ପର୍ଯ୍ୟୟରେ ଅନୁଷ୍ଠିତ ଓଜେଇଇ ପାରକ୍ଷାରେ ୩୯ ହଜାର ୫୯୦ ଜଣ ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୫୭୬ ଜଣଙ୍କୁ ର୍ୟାଙ୍କ ମିଳିଛି ।