ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ ବ୍ୟାପିବାକୁ ରୋକିବା ପାଇଁ ପ୍ରାୟ ୩ ମାସ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇ ରହିଛି । ଫଳରେ ଛାତ୍ରାଛାତ୍ରୀଙ୍କ ପାଠପଢା ଉପରେ ପ୍ରଭାବ ପଡିଛି । ଅନ୍ୟପଟେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାକୁ ନିଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପିଜି ଓ ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡ ଲାଇନ ଜାରି କରାଯାଇଛି ।
ଆସନ୍ତା ୧୩ ତାରିଖରୁ ରାଜ୍ୟର ସବୁ ଡିଗ୍ରୀ କଲେଜର ଯୁକ୍ତ ତିନି ଓ ପିଜିରେ ଆରମ୍ଭ ହେବ ଅନଲାଇନ୍ କ୍ଲାସ୍। ଏନେଇ ସବୁ ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ। ଗାଇଡ ଲାଇନ ଅନୁସାରେ ଅଧ୍ୟାପକ ମାନେ ସର୍ବାଧିକ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଅନଲାଇନରେ ପାଠ ପଢାଇବା ସହ ସମସ୍ତ ଇ ମେଟେରିଆଲସ ଯୋଗାଇ ଦେବେ । ଅନଲାଇନ ଆପ ଜରିଆରେ କଲେଜ କ୍ୟାମ୍ପସରେ ରହି ଅଧ୍ୟାପକ ମାନେ ସପ୍ତାହରେ ୩ ଦିନ ପାଠ ପଢାଇବେ । ଏହି ଅନଲାଇନ କ୍ଲାସ ୨ ରୁ ୩ ଘଣ୍ଟା ହେବ । କଲେଜ କର୍ତ୍ତୃପକ୍ଷ ଅନଲାଇନ୍ କ୍ଲାସ୍ ଲାଗି ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବେ ।