ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି। ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୩ ଲକ୍ଷ ୬୯ ହଜାର ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୧୦୯୩ ପରୀକ୍ଷା କେନ୍ଦ୍ର କରାଯାଇଛି । ସବୁ ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯାଇଛି। ମୋଟ୍ ୨୦୨ଟି ହବ୍ ହୋଇଛି। ଆଜି ପ୍ରଥମ ଦିନରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଓଡ଼ିଆ ବିଷୟରେ ପରୀକ୍ଷା ହେଉଛି । ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।
ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ହବ୍ରୁ ପ୍ରଶ୍ନପତ୍ର ବାହାରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ । ବୁଧବାର ସନ୍ଧ୍ୟା ସୁଦ୍ଧା ୯୫୧ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି। ଆଉ ପ୍ରାୟ ୧୫୦ କେନ୍ଦ୍ରରେ ଭିତ୍ତିଭୂମି ଅଭାବରୁ ସିସିଟିଭି ଲାଗିପାରିନି । ଯେଉଁଠି ସିସିଟିଭି ଲାଗିନି ତାହାକୁ ସମ୍ବେଦନଶୀଳ କେନ୍ଦ୍ର ବୋଲି ଘୋଷଣା କରାଯାଇଛି । ସେହି କେନ୍ଦ୍ରଗୁଡ଼ିକୁ ଅଧିକ ସଂଖ୍ୟକ ସ୍କ୍ବାଡ୍ ପଠାଇବାକୁ ନିଷ୍ପତ୍ତି ହୋଇଛି । ପରୀକ୍ଷା ସମ୍ପର୍କିତ ସୂଚନା ତଥା ଅଭିଯୋଗ ଲାଗି ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍(ନମ୍ବର ୦୬୭୪-୨୩୦୩୮୦୩ ଏବଂ ୦୬୭୪-୨୩୦୦୦୯୯) ଖୋଲାଯାଇଛି । ଯଦି କୌଣସି ପରୀକ୍ଷାର୍ଥୀ କିମ୍ବା ଅଭିଭାବକଙ୍କର କିଛି ସମସ୍ୟା ଥିବ ସେମାନେ ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ ।
କପି ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ରୀୟ, ଜୋନାଲ ଓ ଜିଲ୍ଲାସ୍ତରୀୟ ସ୍କ୍ଵାଡ ଗଠନ ହୋଇଛି । ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ସେଣ୍ଟରକୁ ମୋବାଇଲ ଫୋନ,ସ୍ମାର୍ଟ ଘଣ୍ଟା, କ୍ୟାମେରା ପେନ୍ ଓ କୌଣସି ଇଲେକ୍ଟ୍ରୋନିକ ସାମଗ୍ରୀ ନେବାକୁ ବାରଣ କରାଯାଇଛି । ଛାତ୍ରଛାତ୍ରୀ କେବଳ ଆଡମିଟ କାର୍ଡ, କଳା ବଲ୍ପେନ,ସ୍କେଲ ,ପେନସିଲ ଓ ସାଧାରଣ ଘଣ୍ଟା ନେଇ ଯାଇପାରିବେ । ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୩୦ରେ ସରିବ ।