ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍କୁଲ ଫିକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅଭିଭାବକଙ୍କୁ ବଡ ଝଟକା । ଲକ୍ ଡାଉନ୍ ସମୟରେ ଘରୋଇ ସ୍କୁଲ ଗୁଡିକ ଅନଲାଇନ୍ କ୍ଲାସ ନାମରେ ସମ୍ପୂର୍ଣ୍ଣ ଫି ଆଦାୟ କରିବା ବିରୋଧରେ ଦାଖଲ ହୋଇଥିବା ପିଟିସନ୍ ଉପରେ ଶୁଣାଣିି କରିବା ପାଇଁ ସୁପ୍ରିମକୋଟଙ୍କ ପକ୍ଷରୁ ଶୁକ୍ରବାର ମନା କରିଦିଆଯାଇଛି । କୋର୍ଟ ପକ୍ଷରୁ କୁହାଯାଇଛି କି ପ୍ରତ୍ୟେକ ରାଜ୍ୟର ସ୍ଥିତି ଅଲଗା ରହିଛି । ସେଥିପାଇଁ ଆବେଦନକାରୀ ହାଇକୋର୍ଟରେ ପିଟିସନ୍ ଦାଖଲ କରନ୍ତୁ । ଯଦି ହାଇକୋର୍ଟର ନିର୍ଦ୍ଦେଶରେ କୌଣସି ସମସ୍ୟା ରହିଛି ତେବେ ସୁପ୍ରିମକୋର୍ଟରେ ପିଟିସିନ ଦାଖଲ କରିପାରିବେ । ପ୍ରତ୍ୟେକ ରାଜ୍ୟର ସ୍ଥିତି ଅଲଗା ହେବା ଯୋଗୁଁ ସାରା ଦେଶରେ ଲାଗୁ ହେବାକୁ ଥିବା କୌଣସି ଏକ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ।
ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ୱଧିନ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି କି ସ୍କୁଲ ଫି ର ପ୍ରସଙ୍ଗ ରାଜ୍ୟର ହାଇକୋର୍ଟରେ ଉଠାଇବାର ଉଚିତ୍ ଥିଲା, ଏହି ପ୍ରସଙ୍ଗ କାହିଁକି ସୁପ୍ରିମକୋର୍ଟକୁ ଆସିଲା ।
ସୂଚନାଯୋଗ୍ୟ, ୮ଟି ରାଜ୍ୟର ଅଭିଭାବକମାନେ ମିଳିତଭାବେ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ । ଯେଉଁଥିରେ ଲକ୍ ଡାଉନ୍ ଅବସରରେ ଘରୋଇ ସ୍କୁଲ ଗୁଡିକ ସ୍କୁଲ ଫି ଛାଡ ଏବଂ ନିୟମିତ ସ୍କୁଲ ଆରମ୍ଭ ହେବା ପର୍ଯ୍ୟନ୍ତ ଫି ରେଗୁଲେଟ କରିବା ପାଇଁ ଦାବି କରିଥିଲେ । ଏହାସହିତ ସ୍କୁଲ ଫି ନଦେବା ଦ୍ୱାରା ଯେପରି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ନକାଢି ଦିଆଯାଉ ସେଥିପାଇଁ ବି ଅଭିଭାବକ ପିଟିସନ୍ ରେ ଦାବି କରିଥିଲେ । କିନ୍ତୁ ଶୁକ୍ରବାର ସୁପ୍ରିମକୋର୍ଟ ଏହି ପିଟିସନ୍ ଉପରେ ଶୁଣାଣି କରିବା ପାଇଁ ମନା କରିଦେଇଛି ।
ମହାମାରୀ କରୋନା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ରହିଛି । ଲୋକମାନଙ୍କ ରୋଜଗାର ଏକପ୍ରକାରର ଠପ ହୋଇଯାଇଛି । ସେମାନେ ନିଜର ପରିବାର ଚଳାଇବା ପାଇଁ ବି ଅସମର୍ଥ ହୋଇପଡିଛନ୍ତି । ଏଭଳି ପରିସ୍ଥିତିରେ ସ୍କୁଲ ଫି ଦେବା ପାଇଁ ସେ ସମର୍ଥ ନୁହଁନ୍ତି ।