ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାମରେ ଆସିଲା ଘରୋଇ ସ୍କୁଲ ଅଭିଭାବକଙ୍କ ୭ ଘଣ୍ଟିଆ ଧାରଣା । ବିଜୟୀ ହେଲା ଓଡିଶା ଅଭିଭାବକ ମହାସଂଘ । ଅଭିଭାବକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ । ଆଜି ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ସେମାନଙ୍କର ସ୍କୁଲ ଫିକୁ ତିନି ମାସ ପର୍ଯ୍ୟନ୍ତ ହ୍ରାସ କରିବା ବା ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା କରୋନା ଲକ୍ ଡାଉନ୍ ଯୋଗୁଁ ଆର୍ଥିକ ପ୍ରଭାବିତ ହୋଇଥିବା ଅଭିଭାବକ ସହାୟକ ହେବେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ତାଙ୍କୁ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହାସହିତ ଲକ୍ ଡାଉନ୍ ସମୟରେ ସ୍କୁଲ ଫି କୁ ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ଆଲୋଚନା କରିଛନ୍ତି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ । ଏହାବ୍ୟତିତ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ଡିଇଓ ବା ବିଇଓକୁ ଆଦେଶ ଦେବା ପାଇଁ ମହାସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ତାଙ୍କର ଏହି ଅନୁରୋଧକୁ ରକ୍ଷା କରି ମନ୍ତ୍ରୀ କହିଛନ୍ତି କି ଲକ୍ ଡାଉନ୍ ହଟିବା ପରେ ବିଭାଗକୁ ଏନେଇ ସୁନିଶ୍ଚିତ କରାଯିବ ।
ପ୍ରକୃତରେ କରୋନା ପାଇଁ ଆର୍ଥିକ କ୍ଷେତ୍ର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏହାସହିତ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ଅବସରରେ ଲୋକେ ଘରୁ ବି ବାହାରି ପାରୁ ନାହାଁନ୍ତି । ସମସ୍ତ ଶିକ୍ଷାନୁଷ୍ଠାନ ବି ବନ୍ଦ ରହିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ କଥା ହେଉଛି ଲକ୍ ଡାଉନ୍ ରେ ପିଲାମାନେ ସ୍କୁଲ ବି ଯାଉ ନାହାନ୍ତି । ତାପରେ ବି ଘରୋଇ ସ୍କୁଲ ଗୁଡିକ ପିଲାଙ୍କର ଏକାକାଳୀନ ୩ ମାସିଆ ସ୍କୁଲ ଫି ଆଦାୟ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିକଟରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ୭ ଘଣ୍ଟିଆ ଧାରଣା ଦିଆଯାଇଥିଲା । ଏହି ଧାରଣରେ ପ୍ରାୟତଃ ୧୫ ଟି ଜିଲ୍ଲାର ୧୦ ହଜାର ଅଭିଭାବକ ସାମିଲ ହୋଇଥିଲେ । କରୋନା ଲକ୍ ଡାଉନ୍ ପାଇଁ ଅଭିଭାବକ ମାନେ ଶାନ୍ତି ଶୃଙ୍ଖଳାର ସହ ନିଜ ନିଜ ଘରେ ରହି ୭ ଘଣ୍ଟା ଯାଏଁ ଧାରଣାରେ ବସିଥିଲେ । ଏହି ସମୟରେ ସମସ୍ତେ ହାତରେ ଗୋଟେ ଗୋଟେ କାଗଜ ଧରିଥିଲେ । ଯେଉଁଥିରେ ଲେଖା ହୋଇଥିଲା କି, କରୋନା ଭୁତାଣୁ ସଂକ୍ରମଣକୁ ନେଇ ଜାତୀୟ ବିପତ୍ତି ସମୟରେ ସମସ୍ତ ବେସରକାରୀ ବିଦ୍ୟାଳୟ ୩ ମାସର ସମସ୍ତ ଦେୟ ଛାଡ କରିବା ପାଇଁ ଓଡିଶା ଅଭିଭାବକ ମହାସଂଘର ସମୂହ ଧାରଣା ।
ଅଭିଭାବକ ମାନେ ଖାଲି ଧାରଣାରେ ବସିଥିଲେ ତାହା ନୁହେଁ ବରଂ ଅନେକ ଅଭିଭାବକ ୩ ମାସିଆ ସ୍କୁଲ ଫି ଛାଡ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଟ୍ୱିଟ୍ ଯୋଗେ ଅନୁରୋଧ ମଧ୍ୟ କରିଥିଲେ । ଯାହାକୁ ନେଇ ଆଜି ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ସେମାନଙ୍କ ସ୍କୁଲ ଫି ହ୍ରାସ ବା ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଅପରପକ୍ଷେ ଲକ୍ ଡାଉନ୍ ସମୟରେ ତିନି ମାସ ପର୍ଯ୍ୟନ୍ତ ସ୍କୁଲ ଫିକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ନେଇ ଓଡିଶା ଅଭିଭାବକ ମହାସଂଘକୁ ଗଣଶିକ୍ଷାମନ୍ତ୍ରୀ ଦେଇଥିବା ଆଶ୍ୱସନା ବହୁତ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି ।