ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ସ୍କୁଲ ପିଲାଙ୍କୁ ଅଟୋରେ ଯିବା ଆସିବା କରିବା ମନା । ଏହାକୁ ନ ମାନିଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସ୍କୁଲ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ନେବା ଆଣିବା କରିବା ପାଇଁ ୨୦୧୬ରେ ଏକ ସ୍ୱତନ୍ତ୍ର ଗାଇଡ ଲାଇନ ତିଆରି କରିଥିଲେ ରାଜ୍ୟ ସରକାର । ଅଟୋରେ ସ୍କୁଲ ପିଲାମାନଙ୍କୁ ନେବା ଆଣିବାକୁ ସମ୍ପୂର୍ଣ୍ଣ ବାଦ କରାଯାଇଛି । ଏହା ସହ ଚାରିଚକିଆ ଯାନ ମାନଙ୍କରେ ସେଫଟି ଗ୍ରିଲସ, ଫାଷ୍ଟ ଏଡ୍ ବକ୍ସ, ହ୍ୟାଙ୍ଗର, ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ବାଧ୍ୟତାମୂଳକ କରାଯାଇଛି ।
ହେଲେ କାହାର ଏନେଇ ଦୃଷ୍ଟି ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ତେବେ ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏକ ଅଟୋରୁ ଖସି ପଡିବାରୁ ଏକ ଶିଶୁର ଜୀବନ ଚାଲିଯାଇଛି । ସୂଚନା ଅନୁସାରେ ଗତକାଲି ଏକ ଅଟୋରେ ଗଞ୍ଜାମରୁ କିଛି ଛାତ୍ରଛାତ୍ରୀଙ୍କୁ ନେଇ ଅଟୋଟି ଦିଗପହଣ୍ଡି ଯାଉଥିଲା । ଏହି ସମୟରେ ରାସ୍ତାରେ ଅଜୟ ପ୍ରଧାନ ନାମକ ଶିଶୁ ଅଟୋରୁ ଖସି ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।